*ରଙ୍ଗାମାଟିଆରେ ପହାନ ପ୍ରଶିକ୍ଷଣ ଆରମ୍ଭ*
*ମୁଣ୍ଡା ସମାଜର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷାକୁ ଗୁରୁତ୍ୱ*
ଖୁଣ୍ଟା, -: ମୁଣ୍ଡା ଜନଜାତିର ପାରମ୍ପରିକ ଧାର୍ମିକ ପରମ୍ପରା, ଆସ୍ଥା, ରୀତିନୀତି ଓ ଆଦିବାସୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆସ୍ଥିତ କଲ୍ୟାଣ ମଣ୍ଡପରେ ତିନିଦିନିଆ ପହାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ମୁଣ୍ଡାରୀ ଭାଷା ସମନ୍ୱୟ ସମିତି (MLCC) ଓ ସର୍ନା ସୋତୋହ ପହାନ ଗୁଟୁଗାମର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୁଣ୍ଡା ସମାଜର ପାରମ୍ପରିକ ଧାର୍ମିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପହାନମାନଙ୍କ ମଧ୍ୟରେ ପାରମ୍ପରିକ ଧାର୍ମିକ ଜ୍ଞାନ, ରୀତିନୀତି ଓ ଦାୟିତ୍ୱ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆଣିବା। ଏହା ସହିତ ପ୍ରାଚୀନ ଧାର୍ମିକ ପରମ୍ପରା ଓ ମୌଳିକ ସାଂସ୍କୃତିକ ମୂଲ୍ୟବୋଧ ଯେପରି ଆଧୁନିକତାର ପ୍ରଭାବରେ ବିଲୁପ୍ତ ନ ହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।
କାର୍ଯ୍ୟକ୍ରମକୁ MLCCର କେନ୍ଦ୍ରୀୟ ଆବାହକ ବିରବଲ ସିଂହ, ସାଧାରଣ ସମ୍ପାଦକ ସୁନାରାମ ସିଂହ ଏବଂ ସରନା ସୋତୋହ ପହାନ ଗୁଟୁଗାମର ସଭାପତି ପୂର୍ଣ୍ଣଚନ୍ଦ୍ର ସିଂହ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଅବସରରେ ବକ୍ତାମାନେ ମୁଣ୍ଡା ସମାଜର ପାରମ୍ପରିକ ଧାର୍ମିକ ପରମ୍ପରାକୁ ସୁରକ୍ଷିତ ରଖିବାରେ ପାହାନମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ।ପାରମ୍ପରିକ ମୁଣ୍ଡା ସାମାଜିକ ବ୍ୟବସ୍ଥାରେ ପାହାନ କେବଳ ଧାର୍ମିକ ଅନୁଷ୍ଠାନ ସମ୍ପାଦନ କରୁଥିବା ବ୍ୟକ୍ତି ନୁହନ୍ତି; ସେ ଗ୍ରାମର ପାରମ୍ପରିକ ଆସ୍ଥା, ପ୍ରଥା, ପ୍ରକୃତିକେନ୍ଦ୍ରିକ ଜୀବନଦର୍ଶନ ଓ ସାମୂହିକ ମୂଲ୍ୟବୋଧର ଜଣେ ରକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥାନ୍ତି। ତେଣୁ ପହାନମାନଙ୍କୁ ସଂଗଠିତ ଭାବେ ପ୍ରଶିକ୍ଷିତ କରିବା ମାଧ୍ୟମରେ ପାରମ୍ପରିକ ଜ୍ଞାନକୁ ଲିପିବଦ୍ଧ ଓ ପିଢ଼ିରୁ ପିଢ଼ିକୁ ହସ୍ତାନ୍ତର କରିବା ଏହି ପ୍ରଶିକ୍ଷଣର ଅନ୍ୟତମ ଲକ୍ଷ୍ୟ।ଏହି ତିନିଦିନିଆ ପ୍ରଶିକ୍ଷଣରେ ବିଭିନ୍ନ ଅଞ୍ଚଳରୁ ୨୬ ଜଣ ପହାନ ଅଂଶଗ୍ରହଣ କରୁଛନ୍ତି। ଅଭିଜ୍ଞ ପହାନ ରଘୁନାଥ ସିଂହ ଓ ବସନ୍ତ କୁମାର ସିଂହ ପ୍ରଶିକ୍ଷକ ଭାବେ ଯୋଗଦେଇ ପାରମ୍ପରିକ ଧାର୍ମିକ ପଦ୍ଧତି, ପୂଜାବିଧି, ଅନୁଷ୍ଠାନ, ପହାନଙ୍କ ଦାୟିତ୍ୱ ଓ ସାରନା ପରମ୍ପରା ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି।ପ୍ରଶିକ୍ଷଣରେ ପହାନଙ୍କ ପାରମ୍ପରିକ ଭୂମିକା, ଧାର୍ମିକ ଅନୁଷ୍ଠାନର ନିୟମ ଓ ପଦ୍ଧତି, ସର୍ନା ପରମ୍ପରାର ସୁରକ୍ଷା, ପ୍ରକୃତି ଓ ଧର୍ମ ମଧ୍ୟରେ ଥିବା ସମ୍ପର୍କ, ପାରମ୍ପରିକ ଜ୍ଞାନର ସଂରକ୍ଷଣ ଏବଂ ନୂତନ ପିଢ଼ିକୁ ଏହାର ହସ୍ତାନ୍ତର ଭଳି ବିଷୟ ସ୍ଥାନ ପାଇଛି। ଏହା ସହିତ ବିଭିନ୍ନ ଅଞ୍ଚଳର ପାହାନମାନଙ୍କ ମଧ୍ୟରେ ସମନ୍ୱୟ ଓ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପହାନ ସଂଯୋଜକ ରଙ୍ଗା ସିଂହ, ଶାମାଖୁଣ୍ଟା ବ୍ଲକ୍ MLCC ଆହ୍ୱାକ ରାମଚନ୍ଦ୍ର ମୁଣ୍ଡା, OMSA ସଭାପତି ମଙ୍ଗଳ ସିଂହ, ବାଉଁଶବିଲା ପଞ୍ଚାୟତ ଆବାହକ ସୁନାରାମ ସୋସୋ, ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂହ ଏବଂ କୋଳିଆଣା ବ୍ଲକ୍ MLCC ଆବାହକ ସତ୍ୟବାନ ସିଂହଙ୍କ ସମେତ ବହୁ ମୁଣ୍ଡା ସାମାଜିକ କର୍ମୀ ଓ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।ଆସନ୍ତା ୧୫ ସେପ୍ଟେମ୍ବରରେ ପ୍ରଶିକ୍ଷଣର ସମାପନ ଦିବସ ଅବସରରେ ଏହି ସ୍ଥାନରେ ବିଭିନ୍ନ ମୁଣ୍ଡା ସାମାଜିକ ସଂଗଠନକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସଭାରେ ମୁଣ୍ଡା ସମାଜର ଧାର୍ମିକ ପରମ୍ପରାର ସୁରକ୍ଷା, ପହାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ସାମାଜିକ ଏକତା ଏବଂ ଭବିଷ୍ୟତରେ ଏ ଦିଗରେ ନିଆଯିବାକୁ ଥିବା ସାମୂହିକ ପଦକ୍ଷେପ ନେଇ ଆଲୋଚନା ହେବ।ମୁଣ୍ଡା ସମାଜର ପାରମ୍ପରିକ ଧାର୍ମିକ ଓ ସାଂସ୍କୃତିକ ଜୀବନଧାରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରଖିବା ଦିଗରେ ରଙ୍ଗାମାଟିଆରେ ଆରମ୍ଭ ହୋଇଥିବା ଏହି ପହାନ ପ୍ରଶିକ୍ଷଣ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق