ଜଙ୍ଗଲ ମାଫିଆଙ୍କ କବଜାରେ ବିଶ୍ୱନାଥପୁର ରେଞ୍ଜ l
ଗଛକଟା ବେଳେ ଧରାପଡ଼ିଲେ, ମାମଲା ନକରି କାଗଜରେ ଚୁକ୍ତି କରି ଛାଡ଼ିଦେବା ଅଭିଯୋଗ ।
ଲାଞ୍ଜିଗଡ ():-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଧୀନ ମୁସାନାଲ ସେକ୍ସନ ଏବଂ ଧଡେଲ ବିଟ୍ରୁ ଜଙ୍ଗଲ ସୁରକ୍ଷାକୁ ନେଇ ଆସିଛି ଏକ ଗୁରୁତର ଅଭିଯୋଗ। ବେଆଇନ ଭାବେ ଜଙ୍ଗଲରୁ ଗଛ କାଟୁଥିବା କିଛି ବ୍ୟକ୍ତିଙ୍କୁ ବନ କର୍ମଚାରୀମାନେ ଧରିବା ପରେ ମଧ୍ୟ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନିଆନଯାଇ କେବଳ କାଗଜପତ୍ରରେ ଚୁକ୍ତିନାମା କରାଇ ଛାଡ଼ି ଦିଆଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ମୁସାନାଲ ସେକ୍ସନ ଅଧୀନ ଧଡେଲ ବିଟ୍ରେ ବେଆଇନ ଭାବେ ଗଛକଟା ଚାଲିଥିବା ଖବର ପାଇ ବିଟ୍ ଗାର୍ଡଙ୍କ ସମେତ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଗଛକଟାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା କିଛି ବ୍ୟକ୍ତିଙ୍କୁ ବନ କର୍ମଚାରୀ କାବୁ କରିଥିବା କୁହାଯାଉଛି। ପରେ ସେମାନଙ୍କୁ ବିଶ୍ୱନାଥପୁର ରେଞ୍ଜ ଅଫିସକୁ ନିଆଯାଇଥିବା ଅଭିଯୋଗ ରହିଛି। ତେବେ ରେଞ୍ଜ ଅଫିସକୁ ନେବା ପରେ ଘଟଣାରେ ମାମଲା ରୁଜୁ କରାଯାଇଥିଲା କି ନାହିଁ, ଜବତ ଟାଙ୍ଗିଆ ଓ ଅନ୍ୟ ସାମଗ୍ରୀର କଣ ହେଲା ଏବଂ କୌଣସି ଆଇନଗତ ଜରିମାନା ଆଦାୟ ହୋଇଥିଲା କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ମାମଲା ରୁଜୁ କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନକରି କେବଳ ଏକ ସାଧାରଣ କାଗଜରେ ଦସ୍ତଖତ କରାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ଘଟଣାକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଯଦି ବେଆଇନ ଗଛକଟା ଘଟଣାରେ ଅଭିଯୁକ୍ତମାନେ ଧରାପଡ଼ିଥିଲେ, ତେବେ ସେମାନଙ୍କ ବିରୋଧରେ ନିୟମ ଅନୁଯାୟୀ ପଦକ୍ଷେପ କାହିଁକି ନିଆଗଲା ନାହିଁ? କେବଳ ଏକ କାଗଜରେ ଦସ୍ତଖତ କରାଇ ଛାଡ଼ିଦେବା ପଛରେ କୌଣସି ପ୍ରଶାସନିକ କାରଣ ଥିଲା କି, ନା ଅନ୍ୟ କୌଣସି ବୁଝାମଣା ହୋଇଥିଲା ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଆଇନ ଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ କେତେ? ଜଙ୍ଗଲ ଓ ବନ୍ୟ ସମ୍ପଦ ସୁରକ୍ଷା ପାଇଁ ଦେଶରେ ଏକାଧିକ ଆଇନ ଓ ନିୟମ ରହିଛି। ବେଆଇନ ଗଛକଟା ଓ ବନ ସମ୍ପଦ ଚୋରାଚାଲାଣ ଘଟଣାରେ ଆଇନ ଅନୁଯାୟୀ ମାମଲା ଓ ଦଣ୍ଡବିଧାନର ବ୍ୟବସ୍ତା ରହିଛି କିନ୍ତୁ କାହିଁକି ବନବିଭାଗର ଏତେ ଅଭହେଲା ବୋଲି ସ୍ଥାନୀୟ ଅଞ୍ଚଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق