ଅପରେସନ ଉଦ୍ଧାର: ବନ୍ୟାରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର
ଯାଜପୁର (ମଣିଭଦ୍ରା ଖବର) ବନ୍ୟା ପରିସ୍ଥିତି ମଧ୍ୟରେ ବିଞ୍ଝାରପୁର ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ‘ଅପରେସନ ଉଦ୍ଧାର’ ଅଭିଯାନରେ ବିଞ୍ଝାରପୁର ବନ୍ୟା ଉଦ୍ଧାରକାରୀ ଦଳ ଫାଲାପୁର ଗ୍ରାମର ଜଣେ ୨୭ ବର୍ଷୀୟ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମହିଳାଙ୍କ ନାମ ଅର୍ଚ୍ଚନା ଦାଶ। ସେ ଅନିଲ ଗୁରୁଙ୍କ ପତ୍ନୀ ଏବଂ ଫାଲାପୁର, ହଳଦୀଡିହା ପଞ୍ଚାୟତ, ବିଞ୍ଝାରପୁର ବ୍ଲକର ବାସିନ୍ଦା।
ଅର୍ଚ୍ଚନା ଦାଶ ଯମଜ ସନ୍ତାନର ଗର୍ଭବତୀ ଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଟିମ୍ ସହାୟତାରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ଏହାସହ ବିଞ୍ଝାରପୁର ବନ୍ୟା ଉଦ୍ଧାରକାରୀ ଦଳ ବନ୍ୟାଘେରରେ ଥିବା କୁସୁନପୁର, ଫାଲାପୁର ଓ ହଳଦୀଡିହା ଅଞ୍ଚଳରୁ ଆଉ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀ ଓ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରିଛି।
ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ଓଆରଏସ୍ ଓ ପାଣି ବୋତଲ ମଧ୍ୟ ବଣ୍ଟନ କରାଯାଉଛି। ବିପଦ ସମୟରେ ଉଦ୍ଧାରକାରୀ ଦଳର ଏହି ତତ୍ପରତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ମଣିଭଦ୍ରା ଖବର, ଯାଜପୁର




إرسال تعليق