ଚିନି ଚାହିଦା ମେଣ୍ଟାଇବାକୁ ଓଡ଼ିଶା ସରକାରଙ୍କ ନୂଆ ରଣନୀତି; ବଡମ୍ବା ସମେତ ୩ ଚିନିକଳ ହେବ କାର୍ଯ୍ୟକ୍ଷମ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ରାଜ୍ୟରେ ଚିନି ଦର ବଢ଼ି କିଲୋ ପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଥିବା ବେଳେ ଚିନି ଉତ୍ପାଦନକୁ ନେଇ ବଡ଼ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟରେ ଥିବା ୪ଟି ଚିନିକଳକୁ କାର୍ଯ୍ୟକ୍ଷମ କରିବା ନେଇ ସରକାର ଯୋଜନା କରୁଥିବା ସେ ଇଙ୍ଗିତ ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୪ଟି ଚିନିକଳ ଚାଲିଲେ ରାଜ୍ୟର ଚିନି ଚାହିଦା ବହୁ ମାତ୍ରାରେ ମେଣ୍ଟାଇବା ସମ୍ଭବ ହୋଇପାରିବ।
ବର୍ତ୍ତମାନ ଆସିକା ଚିନିକଳ କାର୍ଯ୍ୟକ୍ଷମ ରହିଛି। ସେହିପରି ବଡ଼ମ୍ବା ଚିନିକଳ ଉଦ୍ଘାଟନ ଅପେକ୍ଷାରେ ରହିଛି। ଅନ୍ୟପଟେ ବଲାଙ୍ଗିର ଚିନିକଳ ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୟାଗଡ଼ ଚିନିକଳ ବନ୍ଦ ଥିବା ବେଳେ ଏହା ସମ୍ପର୍କିତ ଆଇନଗତ ପ୍ରକ୍ରିୟାକୁ ଖୁବଶୀଘ୍ର ସମାଧାନ କରି ଚିନିକଳକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା କରୁଛି।
ଆଗାମୀ ଦିନରେ ସମସ୍ତ ଚିନିକଳକୁ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଚିନି ଉତ୍ପାଦନ ବଢ଼ିଲେ ବାହାର ରାଜ୍ୟ ଉପରେ ନିର୍ଭରଶୀଳତା କମିବା ସହ ଓଡ଼ିଶାର ଚିନି ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ। ଏହାସହ ଆଖୁଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେବେ। ଚାଷୀମାନଙ୍କୁ ଆଖୁ ଚାଷ ସମ୍ପର୍କରେ ଆବଶ୍ୟକ ତାଲିମ ଦିଆଯିବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق