BREAKING
Loading...
:

ପାଳ ବାଇଗଣକୁ ମିଳିବ ଜିଆଇ ଟ୍ୟାଗ

 



ପାଳ ବାଇଗଣକୁ ମିଳିବ ଜିଆଇ ଟ୍ୟାଗ।

କମଗରା,ଢେଙ୍କାନାଳ।


          ଢେଙ୍କାନାଳର ସୁଆଦିଆ ପାଳ ବାଇଗଣକୁ ଜିଆଇ ଟ୍ୟାଗ (ଭୌଗୋଳିକ ସୂଚକାଙ୍କ) ମାନ୍ୟତା ମିଳିବା ନେଇ ଆଶା ଉଜ୍ଜୀବିତ ହୋଇଛି। ପ୍ରକ୍ରିୟାର ପ୍ରାକ୍ ପରୀକ୍ଷା ସୋପାନରେ ଆବେଦନ ବିଚାରଧୀନ ରହିଥିବା ଜଣାପଡିଛି। ଓଡିଶା କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ପାଳ ବାଇଗଣକୁ ଜିଆଇ ଟ୍ୟାଗ ଦିଆଯିବା ନେଇ ଆନୁସଙ୍ଗିକ ଦସ୍ତାବିଜ ଓ ତଥ୍ୟ ପ୍ରଦାନ କରାଯାଇଛି। ଢେଙ୍କାନାଳର ପାଳ ବାଇଗଣ ସହିତ ରାଜ୍ୟର ଆଉ ୫ଟି ପାରମ୍ପରିକ ଖାଦ୍ୟକୁ ଜିଆଇ ଟ୍ୟାଗ ମିଳିବାର ସମ୍ଭାବନା ରହିଛି।

         ସୂଚନା ଅନୁସାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଗ୍ରାମ ପଞ୍ଚାୟତର କମଗରା ଏବଂ ସୋଗର ପଞ୍ଚାୟତର ଝଗଡପଦା ଗାଁରେ ବ୍ରାହ୍ମଣୀ ନଦୀ ପଠାରେ ବର୍ଷ ବର୍ଷ ଧରି ଏହି ସୁଆଦିଆ ପାଳ ବାଇଗଣ ଚାଷ କରିଆସୁଛନ୍ତି।ଭଜା,ତରକାରୀ ଏବଂ ପୋଡା,ଭର୍ତ୍ତା ପାଇଁ ପାଳ ବାଇଗଣର ସ୍ଵାଦରେ ସ୍ବତନ୍ତ୍ର ପରିଚୟ ରହିଛି। ୨୦୨୫ରେ ଢେଙ୍କାନାଳ କମଗରାର ଏହି ପାଳ ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଓଡିଶା କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ (ଓୟୁଏଟି) ପରିଚାଳନା ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତିଙ୍କ ପ୍ରଚେଷ୍ଟାରେ ଗବେଷଣା ଧର୍ମୀ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟ ଆଧାରରେ ସ୍ଥାନୀୟ ସୋଗର ଗ୍ରାମର କପିଳେଶ୍ଵର ମହାଦେବ,ଫାର୍ମର ପ୍ରଡ୍ୟୁସର,କୋ-ଅପରେଟିଭ ସୋସାଇଟି ଲିମିଟେଡ ପକ୍ଷ ପକ୍ଷରୁ ୨୦୨୬ ଜୁନ୍ ୩୦ରେ ଢେଙ୍କାନାଳର ପାଳ ବାଇଗଣକୁ ଜିଆଇ ଟ୍ୟାଗ ପାଇଁ ଚେନ୍ନାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା।ଜୁଲାଇ ୧୪ରେ ଏହାର ୨୭ଟି ପଏଣ୍ଟ ଉପରେ ତଥ୍ୟ ପ୍ରଦାନ କରାଯିବା ପରେ ପ୍ରାକ୍ ପରୀକ୍ଷା ସୋପାନରେ ଏହା ରହିଥ‌ିବା ସୂଚନା ମିଳିଛି।

         ଏ ସଂପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବେଜ୍ଞାନିକ ଶ୍ରୀ ମହାନ୍ତି କୁହନ୍ତି ଢେଙ୍କାନାଳ ପାଳ ବାଇଗଣ ଜିଆଇ ମାନ୍ୟତା ପାଇବାର ପ୍ରାୟ ଚୂଡାନ୍ତ ସୋପାନରେ ପହଞ୍ଚିଛି। ଏଥିପାଇଁ ଯାହା ଦସ୍ତାବିଜ ତାହା ପ୍ରଦାନ କରାଯାଇ ଦୃଢ ଯୁକ୍ତି ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS