ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ, ଗାଡ଼ିର ବୀମା ନଥିଲେ ମିଳିବନି ତେଲ
ବିନା ବୀମାରେ ଚଳାଚଳ କରୁଥିବା ଯାନବାହନ ଉପରେ ଲାଗିବ ଅଙ୍କୁଶ । ପେଟ୍ରୋଲ ପମ୍ପଗୁଡିକ ତେଲ ଦେବା ପୂର୍ବରୁ ଜାଣିପାରିବେ କି ସେହି ଗାଡିର ବୀମା ଅଛି କି ନାହିଁ । ଯଦି ବୀମା ନଥିବ ତେବେ ଉକ୍ତ ଗାଡିକୁ ତେଲ ମିଳିବ ନାହିଁ । ଏ ସଂକ୍ରାନ୍ତରେ ଏକ ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଭାରତର ବୀମା ନିୟନ୍ତ୍ରକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏବଂ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି ।
ସଡକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ସର୍ବୋଚ୍ଚ ଅଦାଲତର ବିଚାରପତି ସଞ୍ଜୟ କରୋଲ ଓ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ପ୍ରସ୍ତାବ ଦେଇଛନ୍ତି ।
କେବଳ ଏତିକି ନୁହେଁ ରାଜପଥରେ ଏଏନ୍ପିଆର (ଅଟୋମେଟିକ ନମ୍ବର ପ୍ଲେଟ ରିକଗନାଇସନ) କ୍ୟାମେରା ମଧ୍ୟ ଲଗାଇବା ଓ ତାକୁ ବାହାନ ଡାଟାବେସ୍ରେ ଲିଙ୍କ୍ କରାଇବାକୁ କହିଛନ୍ତି । ସେହି ରୁଟ୍ରେ ଚଳାଚଳ କରୁଥିବା ଗାଡିର ବୀମା ଅଛି କି ନାହିଁ ତାହା ଯେଭଳି ଟ୍ରାଫିକ ପୁଲିସ ଜାଣିପାରିବ ସେଥିପାଇଁ ଆବଶ୍ୟକ ଉପକରଣର ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ କହିଛନ୍ତି । ଟ୍ରାଫିକ ପୁଲିସ ଉକ୍ତ ଗାଡିର ବୀମା ନଥିବା ଜାଣିବା ପରେ ତୁରନ୍ତ ଗାଡି ମାଲିକଙ୍କ ପାଖକୁ ଇ-ଚାଲାଣ ଯିବ । ମୋଟର ଯାନ ବୀମା ଆଇନକୁ ବାଧ୍ୟତାମୂଳକ କାର୍ଯ୍ୟକାରୀ କରିବା ଫଳରେ ବିନା ବୀମାରେ ଚଳାଚଳ କରୁଥିବା ଯାନ ରାସ୍ତାକୁ ଆସିବା ସହଜ ହେବନାହିଁ ।
ବର୍ତ୍ତମାନ ଦ୍ରୁତଗତି, ରେଡ୍ ସିଗ୍ନାଲ ଅତିକ୍ରମ କରିବା, ଭୁଲ ରାସ୍ତାରେ ଆସିବା ଭଳି ଟ୍ରାଫିକ ଉଲ୍ଲଂଘନ ଲାଗି ଏଏନ୍ପିଆର କ୍ୟାମେରା ଲଗାଯାଇଛି । ତାକୁ ଯଦି ବୀମା ରେକର୍ଡ ସହ ଲିଙ୍କ କରାଯିବ ତେବେ କେଉଁ ଗାଡିର ବୀମା ଅଛି କି ନାହିଁ ଜଣାପଡିବ । ତେବେ ଏହି ପ୍ରସ୍ତାବ ଏକ ପାଇଲଟ ପ୍ରକଳ୍ପ । ଏହାର ଅର୍ଥ ନୁହେଁ ଯେ ଦେଶର ପେଟ୍ରୋଲ ପମ୍ପଗୁଡିକ ତୁରନ୍ତ ବିନା ବୀମାରେ ଚାଲୁଥିବା ଗାଡିକୁ ପେଟ୍ରୋଲ କିମ୍ବା ଡିଜେଲ ଦେବାକୁ ମନା କରିଦେବେ । ତା'ଛଡା ଟ୍ରାଫିକ ପୁଲିସକୁ ଯାନବାହନ ଯାଞ୍ଚ ବେଳେ କେଉଁ ଗାଡିର ବୀମା ଅଛି କି ନାହିଁ ତାହା ଜାଣିବା ପାଇଁ ମୋବାଇଲ ଆପ୍ କିମ୍ବା ହ୍ୟାଣ୍ଡ ଡିଭାଇସ୍ ଉପଲବ୍ଧ କରାଇବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି । ସେହିଭଳି ନୂଆ ଗାଡି ପାଇଁ ତୃତୀୟପକ୍ଷ ବୀମା ସମୟ ସୀମା ବୃଦ୍ଧି କରିବାକୁ ମଧ୍ୟ କୋର୍ଟ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ନୂଆ କାର ପାଇଁ ସମୟ ସୀମାକୁ ୩ରୁ ୪ ବର୍ଷକୁ ଏବଂ ବାଇକ୍ ପାଇଁ ୫ରୁ ୬ ବର୍ଷକୁ ବୃଦ୍ଧି କରିବାକୁ କୁହାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment