କୋରାପୁଟ ପୋଲିସକୁ ବଡ଼ ସଫଳତା, ତେନ୍ତୁଳିଗୁମା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ । କୋରାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ବୈପାରୀଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଏନେଇ କୋରାପୁଟ ଏସପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଡିଭିଏଫ (DVF) ପକ୍ଷରୁ ଉକ୍ତ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ଅଭିଯାନ ସମୟରେ ମାଓବାଦୀ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି ୧ଟି ଦେଶୀ ରିଭଲଭର, ୬ଟି ଦେଶୀ ବନ୍ଦୁକ, ୧୦ଟି ଟିଫିନ ବମ୍ IED (ବିଭିନ୍ନ ଓଜନର), ୨୦ ମିଟର କୋଡେକ୍ସ ୱାୟାର, ୨୫ଟି ଡିଟୋନେଟର, ୨ଟି କ୍ୟାମେରା ଫ୍ଲାଶ ଲାଇଟ, ୫୦ ଗ୍ରାମ ଗନପାଉଡର ଏବଂ ୩୮ ବଲ ଗୁଳି।
ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ପାଇଁ ଏହି ସାମଗ୍ରୀ ଗୁଡ଼ିକ ଜଙ୍ଗଲରେ ଗଚ୍ଛିତ ରଖାଯାଇଥିଲା।
ଆଗାମୀ ଦିନରେ ମଧ୍ୟ DVF, SOG ଓ BSF ମିଳିତ ଭାବେ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିବେ ବୋଲି ଏସପି ରୋହିତ ବର୍ମା କହିଛନ୍ତି। କୋରାପୁଟରେ ମାଓ କାର୍ଯ୍ୟକଳାପକୁ ସମୂଳେ ଦମନ କରିବା ପାଇଁ ପୋଲିସର ଅଭିଯାନ ଆହୁରି ଜୋରଦାର ହେବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق