BREAKING
Loading...
:

ସ୍ମୃତିର ସମାଗମ: ୪୯ ବର୍ଷ ପୂର୍ତ୍ତି ପାଳନ ଓ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଆହ୍ୱାନ

 ସ୍ମୃତିର ସମାଗମ: ୪୯ ବର୍ଷ ପୂର୍ତ୍ତି ପାଳନ ଓ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଆହ୍ୱାନ ।



ବ୍ରମ୍ହପୁର, ସମୟର ସ୍ରୋତରେ ପ୍ରାୟ ପାଞ୍ଚ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଛାତ୍ରଜୀବନର ସ୍ମୃତି କେବେ ପୁରୁଣା ହୁଏ ନାହିଁ। ସେହି ଅମଳିନ ସ୍ମୃତିକୁ ପୁଣିଥରେ ସତେଜ କରିବା ଓ ପରସ୍ପର ମଧ୍ୟରେ ଥିବା ସମ୍ପର୍କର ଡୋରିକୁ ଆହୁରି ସୁଦୃଢ଼ କରିବାର ଉଦ୍ଦେଶ୍ୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସଭାଗୃହରେ ଖଲ୍ଲିକୋଟ କଲେଜର ୧୯୭୭–୭୯ ବ୍ୟାଚ୍‌ର ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକ ଭାବପ୍ଲାବିତ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

୧୯୭୭ ମସିହା ଏହି ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଖଲ୍ଲିକୋଟ କଲେଜରେ ନିଜ ଶିକ୍ଷାଜୀବନର ପ୍ରଥମ ପଦାର୍ପଣ କରିଥିଲେ। ସେହି ଐତିହାସିକ ଦିନର ୪୯ ବର୍ଷ ପୂର୍ତ୍ତି ଅବସରକୁ ସ୍ମରଣୀୟ କରିବା ପାଇଁ ଆୟୋଜିତ ଏହି ସମାରୋହରେ ପ୍ରାୟ ୬୦ ଜଣ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ଅତୀତର ସ୍ମୃତିରେ ହଜି ଯାଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ହିମାଂଶୁ ଶେଖର ଜେନା ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିଲେ। ପରେ ସବୁଜ ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରୁଥିବା ଚାରାଗଛ ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ବ୍ୟାଚ୍‌ର ଦିବଙ୍ଗତ ସହପାଠୀ ଓ ସେହି ସମୟର ଦିବଙ୍ଗତ ଅଧ୍ୟାପକମାନଙ୍କ ପବିତ୍ର ସ୍ମୃତିଚାରଣ କରି ସେମାନଙ୍କର ଅମର ଆତ୍ମାର ସଦ୍‌ଗତି କାମନାରେ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ। ପରବର୍ତ୍ତୀ ସମୟରେ ବ୍ୟାଚ୍‌ର ସଦସ୍ୟମାନେ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ସ୍ୱର୍ଗତ କୃଷ୍ଣ ପାଢ଼ୀଙ୍କ ନାମରେ ନାମିତ ପାଠାଗାରକୁ ଯାଇ ତାଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ (ଆଇପିଏସ୍, ଅବସରପ୍ରାପ୍ତ) ସ୍ୱାଗତ ଭାଷଣରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକତା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧର ପ୍ରାସଙ୍ଗିକତା ଉପସ୍ଥାପନ କରିଥିଲେ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସିମା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ବିକାଶ ଓ ଉତ୍ତରୋତ୍ତର ଅଗ୍ରଗତିରେ ଆଲୁମିନିମାନଙ୍କ ଗଠନ ମୂଳକ ଭୂମିକା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ। ପିଜି କାଉନ୍‌ସିଲର ଅଧ୍ୟକ୍ଷ ପ୍ରଫେସର ମନୋଜ ପଟ୍ଟନାୟକ ଏବଂ ଖଲ୍ଲିକୋଟ କଲେଜ ଆଲୁମିନି ଆସୋସିଏସନର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଧର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ସାମୂହିକ ଅବଦାନ ଶିକ୍ଷାନୁଷ୍ଠାନର ଅଭିବୃଦ୍ଧି ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରିଥିଲେ।

ସମାରୋହର ସବୁଠାରୁ ଉଲ୍ଲେଖନୀୟ ପର୍ବ ଥିଲା ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଶିକ୍ଷାଗତ ଉତ୍କର୍ଷ ଏବଂ ଭବିଷ୍ୟତ ଅଗ୍ରଯାତ୍ରାରେ ପୂର୍ବତନ ଛାତ୍ରଛାତ୍ରୀମାନେ କିପରି ସକ୍ରିୟ ଭାଗିଦାର ହୋଇପାରିବେ, ସେ ସମ୍ପର୍କରେ ହୋଇଥିବା ବିସ୍ତୃତ ଆଲୋଚନା। 'ଓପନ୍ ଫ୍ଲୋର'ରେ ସମସ୍ତ ସଦସ୍ୟ ନିଜର ଅନୁଭୂତି, ମତାମତ ଓ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ ସମସ୍ତେ ସମ୍ମିଳିତ ଭାବେ ଅବଦାନ ରଖିବାକୁ ଦୃଢ଼ ସଙ୍କଳ୍ପ ବ୍ୟକ୍ତ କରିଥିଲେ।

ଶେଷରେ ଏନ୍.ଆଇ.ଟି. ରାଉରକେଲାରୁ ଅବସରପ୍ରାପ୍ତ ପ୍ରଫେସର ଶିବ ଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପରିସମାପ୍ତିରେ ସମସ୍ତେ ମିଳିତ ଭାବେ ଗ୍ରୁପ୍ ଫଟୋ ଉଠାଇ ସ୍ମୃତିର ଏହି ସୁବର୍ଣ୍ଣ ମୁହୂର୍ତ୍ତକୁ ଚିରସ୍ମରଣୀୟ କରିଥିଲେ। ପରେ ଅନୌପଚାରିକ ଆଲୋଚନା, ସ୍ମୃତିଚାରଣ ଓ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ପରସ୍ପର ମଧ୍ୟରେ ଥିବା ସ୍ନେହ, ସମ୍ପ୍ରୀତି ଓ ଆତ୍ମୀୟତାର ବନ୍ଧନ ଆହୁରି ସୁଦୃଢ଼ ହୋଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS