ଚିକିଟି: ଚିକିଟି–ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ମହାସଭାର ବାର୍ଷିକ ସମ୍ମିଳନୀ–୨୦୨୬ର ତୃତୀୟ ତଥା ଉଦ୍ଯାପନୀ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି।
ଦିନର ଆରମ୍ଭରେ ମହାସଭାର କର୍ମକର୍ତ୍ତାମାନେ ସଭାପତିଙ୍କ ଉପସ୍ଥିତିରେ କୁଳଗଙ୍ଗା ନିକଟରେ ବିଭୁ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଥିଲେ। ପରେ ଅନୁଷ୍ଠିତ ସାଧାରଣ ବୈଠକର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଗଣମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ ଓ ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ ନୂତନ ଉପବିଧିର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଅଧ୍ୟାୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ପାଠ କରି ଉପସ୍ଥିତ ସଦସ୍ୟମାନଙ୍କୁ ବୁଝାଇଥିଲେ।
ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ତୈଳିକ ବୈଶ୍ୟ ସମାଜର ସଭାପତି ଶ୍ରୀ ରଘୁନାଥ ସାହୁ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଶ୍ରୀ କୃପାସିନ୍ଧୁ ସାହୁ ଓ ଶ୍ରୀ ରାଜେନ୍ଦ୍ର ସାହୁ ଉପସ୍ଥିତ ରହି ସମାଜର ଏକତା ଓ ସଂଗଠନର ସୁଦୃଢ଼ତା ସମ୍ପର୍କରେ ନିଜ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।
ଏହାସହ ସିଙ୍ଗିପୁର ଗ୍ରାମ୍ୟ ପରିଷଦ, ବାଲିଗୁଡା (କନ୍ଧମାଳ), ପିତ୍ତଳ, ଦୂର୍ବନ୍ଧ, ସାତରାଜ୍ୟ କେନ୍ଦ୍ରୀୟ, ଗୋବିନ୍ଦପୁର, କୃଳା, ବୁର୍ଦା, ପଦ୍ମପୁର ସମେତ ବିଭିନ୍ନ ଆଞ୍ଚଳିକ ପରିଷଦର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ରହି ସମାଜର ଉନ୍ନତି ଓ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ନିଜ ମତାମତ ପ୍ରକାଶ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଚିକିଟି–ଖେମୁଣ୍ଡି କେନ୍ଦ୍ରୀୟ ପରିଷଦର କିଛି କର୍ମକର୍ତ୍ତାଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ତୃତୀୟ ଦିବସର ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ଜାତିର ନୂତନ ଉପବିଧି ପୁସ୍ତିକାର ଉନ୍ମୋଚନ କରିଥିଲେ। ସେ ଜାତିର ପରମ୍ପରା, ସଂଗଠନ ଓ ସାମାଜିକ ଏକତା ସମ୍ପର୍କରେ ନିଜ ମୂଲ୍ୟବାନ ମତାମତ ରଖିଥିଲେ।
ତିନି ଦିନ ବ୍ୟାପୀ ଏହି ସମ୍ମିଳନୀକୁ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଶ୍ରୀ ନୀଳମଣି ସାହୁ ଓ ଶିକ୍ଷକ ଶ୍ରୀ ନରେନ୍ଦ୍ର ସାହୁ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ, ଜାତିର ଧର୍ମଗୁରୁ ଶ୍ରୀ ଉତ୍ସବ ସାହୁ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ।
ଶେଷରେ ମହାସଭାର ସଭାପତି ଶ୍ରୀ ଦଣ୍ଡାସି ସାହୁ କିଛି ଅମିମାଂସିତ ପ୍ରସଙ୍ଗ ଉପରେ ସର୍ବସମ୍ମତି କ୍ରମେ ରାତ୍ରିରେ ଆଲୋଚନା ଜାରି ରଖିବାକୁ ଅନୁମତି ଦେଇଥିଲେ। ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ତୃତୀୟ ତଥା ଉଦ୍ଯାପନୀ ଦିବସର ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق