BREAKING
Loading...
:

ପାଟଣାଗଡ଼ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

 ପାଟଣାଗଡ଼ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ



ବଲାଙ୍ଗୀର, /: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ (NAC)ର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି, ଅନିୟମିତତା ଏବଂ ମନମାନି କାର୍ଯ୍ୟକଳାପର ଅଭିଯୋଗ ଆଣି ପାଟଣାଗଡ଼ ନଗର ଯୁବ କଂଗ୍ରେସ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଆନ୍ଦୋଳନରେ ଯୁବ କଂଗ୍ରେସର ଜିଲ୍ଲା ସଭାପତି ଅନିଲ ମେହେର,

ପାଟଣାଗଡ ଉପସଭାପତି ଅଜିତ୍ ପୁରୋହିତ ସହ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଯୋଗଦେଇ NAC ପ୍ରଶାସନର କାର୍ଯ୍ୟପ୍ରଣାଳୀ ବିରୋଧରେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଧାରଣା ସ୍ଥଳରେ ଉପସ୍ଥିତ ନେତୃବୃନ୍ଦଙ୍କ ଅଭିଯୋଗ ଅନୁସାରେ, NAC ପ୍ରଶାସନ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତାର ଅଭାବ ପରିଲକ୍ଷିତ ହେଉଛି। ସାଧାରଣ ଜନତାଙ୍କ ଦୈନନ୍ଦିନ ସମସ୍ୟା ଯଥା ପରିମଳ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତାଘାଟ ଓ ଆଲୋକୀକରଣ ଭଳି ମୌଳିକ ସୁବିଧା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନଥିବା ସେମାନେ ଅଭିଯୋଗ କରିଥିଲେ। ଏହାସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟାନ୍ବୟନରେ ଅନିୟମିତତା ଏବଂ ଦୁର୍ନୀତି ଘଟୁଥିବା ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଥିଲେ।

ଯୁବ କଂଗ୍ରେସ କର୍ମୀମାନେ କହିଥିଲେ ଯେ, ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଉ ନାହିଁ। ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ NAC ପ୍ରଶାସନ ପ୍ରତି ବିଶ୍ୱାସ ହ୍ରାସ ପାଉଛି। ସେମାନେ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପର ନିରପେକ୍ଷ ତଦନ୍ତ କରାଯିବା ସହ ଦୁର୍ନୀତି ସମ୍ପର୍କିତ ଅଭିଯୋଗର ସତ୍ୟାସତ୍ୟ ଉଦ୍ଘାଟନ ପାଇଁ ଦାବି ଜଣାଇଥିଲେ।

ଧାରଣା ଅବସରରେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ NAC ପ୍ରଶାସନର ଜବାବଦେହିତା ନିଶ୍ଚିତ କରିବା ଓ ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଥିଲେ। ଯୁବ କଂଗ୍ରେସ ନେତାମାନେ ସତର୍କ କରି କହିଥିଲେ ଯେ, ଯଦି ପ୍ରଶାସନ ଶୀଘ୍ର ଏହି ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ନଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ।

ଏହି ଧାରଣା କାର୍ଯ୍ୟକ୍ରମ ପାଟଣାଗଡ଼ ଅଞ୍ଚଳରେ ରାଜନୈତିକ ମହଲ ଓ ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, NAC ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିପାରିନାହିଁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS