ଆଶ୍ରୟସ୍ଥଳୀ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ
ଗଣିଆ ୧୯/୦୬(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଠିଆସାହି ଏବଂ ଓ୍ବାଲିପୁର ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଆଶ୍ରୟସ୍ଥଳୀ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଲବଣ୍ୟେନ୍ଦୁ ମହାନ୍ତି, ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ା, ଛାମୁଣ୍ଡିଆ ସରପଞ୍ଚ ଦୀପ୍ତିରେଖ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯିବ ସେ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବନ୍ୟା, ବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ କିପରି ଉଦ୍ଧାର କରାଯିବ ତାର ମକଡ୍ରିଲ୍ କରିଥିଲେ ଅଗ୍ନିଶମ ଅଧିକାରୀ ଏବଂ କର୍ମଚାରୀ । ବନ୍ୟା ସମୟରେ କଚ୍ଚା ଘରେ ନ ରହି ପକ୍କା ଘର,ଉଚ୍ଚା ସ୍ଥାନ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧିକାରୀ ମାନେ ସତର୍କ ରହି ଜନସାଧାରଣଙ୍କୁ ସହଯୋଗ କରିବାକୁ ବିଡ଼ିଓ ନିବେଦନ କରିଥିଲେ । ପାଣିରେ ବୁଡିଯିବା ଠାରୁ ଆରମ୍ଭ କରି ସାପ କାମୁଡିବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବ ସେ ନେଇ ଅଗ୍ନିଶମ ଅଧିକାରୀ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଗଣିଆରେ ବନ୍ୟା ସମୟରେ ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ପାଣି ଘେରରେ ରହୁଥିବା ନଜିର ରହିଛି ।
ମଣିଭଦ୍ରା ଖବର, ଗଣିଆ



إرسال تعليق