ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣାରେ ତେଜିଲା ରାଜନୀତି
କେନ୍ଦ୍ରାପଡା, -:
ଗତ ଶୁକ୍ରବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଡେରାବିଶ ବ୍ଲକ ଅନ୍ତର୍ଗତ ରାଇତୁଣ୍ଡି ଗ୍ରାମର ଶ୍ରୀଚନ୍ଦନ ଦାସ କାର୍ଯ୍ୟାଳୟର ପ୍ରଥମ ମହଲା ସିଢି ରେଲିଂରେ ଗାମୁଛା ଲଗାଇ ଝୁଲୁଥିବାର ଦେଖାଯାଇଥିଲା । ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶନିବାର ଦିନ ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଯୁବ ଜନତା ଦଳ ଜିଲ୍ଲା ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଦଳ ଦାବି କରିଛି । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୃତକଙ୍କ ପରିବାରକୁ ପ୍ରଶାସନିକ ଅଧିକାରୀ ମାନେ ଭେଟିବାକୁ ଯାଇନାହାଁନ୍ତି ଯାହାକି ବଡ ଦୁର୍ଭାଗ୍ୟର ବିଷୟ ବୋଲି ବିଜେଡ଼ି ଅଭିଯୋଗ ଆଣିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଏବଂ ସଠିକ୍ ତଦନ୍ତ କରି ଆଗାମୀ ସାତ ଦିନ ମଧ୍ୟରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦଳ ପକ୍ଷରୁ ଦାବି କରାଯାଇ ଜିଲ୍ଲାପାଳକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନଚେତ୍ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ସେହିପରି ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ସମାନ ଢଙ୍ଗରେ ପ୍ରତିବାଦ କରାଯାଇ ସଠିକ୍ ଭାବରେ ନ୍ୟାୟିକ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଘଟଣାରେ ଉପଜିଲ୍ଲାପାଳଙ୍କ ସମ୍ପୃକ୍ତି ରହିଛି ବୋଲି ସଂଘ ଦାବି କରିଛି । ବାରମ୍ବାର ଉପଜିଲ୍ଲାପାଳଙ୍କ ପାଖକୁ ଦୌଡ଼ି ନିରାଶ ହେବା ଓ ଶେଷରେ ତାଙ୍କ ଦୁର୍ବ୍ୟବହାରର ଶିକାର ହୋଇ ଜଣେ ଯୁବକ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଛି । ତୁରନ୍ତ ଉପଜିଲ୍ଲାପାଳଙ୍କ ନିଲମ୍ବନ ପାଇଁ ଦାବି କରିଛନ୍ତି ଜିଲ୍ଲାର ଆଇନ୍ଜିବୀ ମାନେ । ସେପଟେ ମୃତ ଶ୍ରୀଚନ୍ଦନଙ୍କ ବାପା ଭରତ ଦାସ ପୁଅର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି । ଘଟଣାରକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ପୁଲିସ୍ ଅନୁସନ୍ଧାନ ଚଳାଇଛି ସଠିକ୍ ତଦନ୍ତ ହେବ ପ୍ରକୃତ କାରଣ ସାମ୍ନାକୁ ଆସିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق