ମହାକାଶରେ ଘଟିବ ବିରଳ ଘଟଣା, ଅତି ନିକଟତର ଦେଖାଯିବେ ବୃହସ୍ପତି ଏବଂ ଶୁକ୍ର ଗ୍ରହ
ମହାକାଶରେ ଘଟିବ ଏକ ବିରଳ ଘଟଣା । ବିରଳ ଦୃଶ୍ୟ ଦେଖିବେ ବିଶ୍ୱବାସୀ । ଚଳିତ ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଦୃଶ୍ୟ ଜୁନ୍ ୮ ଏବଂ ୯ ତାରିଖ ସନ୍ଧ୍ୟାରେ ଦେଖିବାକୁ ମିଳିବ। ସୌରମଣ୍ଡଳର ଦୁଇଟି ସବୁଠାରୁ ଉଜ୍ଜଳ ଗ୍ରହ ଶୁକ୍ର, ଓ ବୃହସ୍ପତି ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଜ୍ୟୋତିର୍ବିଜ୍ଞାନ ଭାଷାରେ ଏହାକୁ ଗ୍ରହ ସଂଯୋଗ କୁହାଯାଏ।
ଏହି ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଘଟଣା ମଧ୍ୟରୁ ଏହି ବିରଳ ଦୃଶ୍ୟ ଅନ୍ୟତମ ।
ଜୁନ୍ ୯, ୨୦୨୬ରେ ସନ୍ଧ୍ୟା ଆକାଶରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ ।ପୃଥିବୀରୁ ଦୃଶ୍ୟମାନ ସବୁଠାରୁ ଉତ୍କଳ ଗ୍ରହ ଶୁକ୍ର ଏବଂ ସୌରମଣ୍ଡଳର ସର୍ବବୃହତ୍ ଗ୍ରହ ବୃହସ୍ପତି କେବଳ ୧.୫ ଡିଗ୍ରୀ ପୃଥକରେ ଦେଖାଯିବେ । ଅର୍ଥାତ୍ ଗ୍ରହ ଦୁଇଟି ପୂର୍ଣ ଚନ୍ଦ୍ର ବ୍ୟାସର ୩ ଗୁଣ ଆକାରର ଅଞ୍ଚଳ ଭିତରେ ଦେଖାଯିବେ । ସୂର୍ଯ୍ୟାସ୍ତ ପରେ ପ୍ରାୟ ଏକ ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଯୋଡ଼ି ଦୃଶ୍ୟମାନ ରହିବ । ଜୁନ୍ ୮ ଏବଂ ୯ ତାରିଖ, ସନ୍ଧ୍ୟା ୭ଟା ରୁ ରାତି ୮ଟା ମଧ୍ୟରେ ଏହି ଦୃଶ୍ୟ ସବୁଠାରୁ ସ୍ପଷ୍ଟ ହେବ। ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ଖାଲି ଆଖିରେ ଏହାକୁ ଦେଖିହେବ। ଆକାଶ ମେଘମୁକ୍ତ ଥିଲେ ଓଡ଼ିଶା ସମେତ ସାରା ଭାରତରେ ଏହି ଚମତ୍କାର ଦୃଶ୍ୟ ଦେଖାଯିବ। ପ୍ରଥମେ ଅଧିକ ଉଜ୍ଜଳ ଶୁକ୍ର ଏବଂ ତା' ତଳକୁ ସାମାନ୍ୟ କମ୍ ଉଜ୍ଜଳ ବୃହସ୍ପତି ଗ୍ରହ ଦେଖାଯିବେ। ପ୍ରକୃତରେ ଦୃଶ୍ୟଟି ଖୁବ ଆଶ୍ଚର୍ଯ୍ୟଜନକ କାରଣ ମହାକାଶରେ ଶୁକ୍ର ସୂର୍ଯ୍ୟଠାରୁ ୧୧ କୋଟି କିଲୋମିଟର ଏବଂ ବୃହସ୍ପତି ୭୮ କୋଟି କିଲୋମିଟର ଦୂରରେ ରହିଛନ୍ତି। କିନ୍ତୁ ଏବେ ପୃଥିବୀ, ଶୁକ୍ର ଏବଂ ବୃହସ୍ପତି ଗୋଟିଏ ସରଳ ରେଖାରେ ଅବସ୍ଥାପିତ ହେବ କାରଣରୁ , ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ମାତ୍ର ୧.୫ ଡିଗ୍ରୀ ଦୂରତାରେ ପାଖାପାଖି ଦେଖାଯିବେ ।
ପୂର୍ବରୁ ଏହି ସଂଯୋଗ ୨୦୨୩ ମାର୍ଚ୍ଚ ୧ ରେ ହୋଇଥିଲା। ଏହାପରେ ପୁଣି ୨୦୨୭ ଅଗଷ୍ଟ ୨୬ ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଲିବ
।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق