ବିମଷ୍ଟେକ୍ ସମ୍ମିଳନୀର ବହୁ-ସାଂସ୍କୃତିକ ସମ୍ବାଦରେ ଚମକିଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ
ବାଙ୍କୀ ଡମପଡ଼ା:ସ୍ଥାନୀୟ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଦୁଇଦିନିଆ ବିମଷ୍ଟେକ୍ ଯୁବ ନେତୃତ୍ୱ ବିନିମୟ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଏଥିରେ ଭାରତ ସମେତ ବିମଷ୍ଟେକର ଅନ୍ୟ ସଦସ୍ୟ ଦେଶ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ନେପାଳ ଏବଂ ଭୁଟାନର ଯୁବ ପ୍ରତିନିଧିମାନେ ଭାଗନେଇ ଏହାକୁ ଏକ ଅନ୍ତର୍ଜାତୀୟ ସମ୍ବାଦ ମଞ୍ଚରେ ପରିଣତ କରିଥିଲେ । ଏଥିରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ନବୋନ୍ମେଷ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ବିମଷ୍ଟେକ୍ ରାଷ୍ଟ୍ରସମୂହ ପ୍ରତିନିଧିମାନେ ଏସଡିଜି ପାଭିଲିଅନ୍, କୃଷି ଏବଂ ପ୍ରାକୃତିକ ଉତ୍ପାଦ କ୍ଷେତ୍ର, କଳା ଏବଂ ସଂସ୍କୃତି ଗ୍ୟାଲେରୀ, ବିଦ୍ୟାର୍ଥୀମାନଙ୍କ ଉପଲବ୍ଧି ମଞ୍ଚ, ଷ୍ଟାର୍ଟଅପ୍ ଏବଂ ନବାଚାର କେନ୍ଦ୍ର, ବାସ୍ତୁକଳା ଓ ମୂର୍ତ୍ତିକଳା ପ୍ରଦର୍ଶନୀ ସାଙ୍ଗକୁ ଆୟୂର୍ବେଦ ଓ ସୁସ୍ଥତା ପ୍ରଦର୍ଶନୀ ବୁଲି ଦେଖିଥିଲେ । ଉଦଘାଟନୀ ଅଧିବେଶନରେ କର୍ମଯୋଗ ନିର୍ଦ୍ଦେଶକ ଜୟ ଚନ୍ଦ୍ରନ୍ ଜିଜ୍ଞାସା, ବିସ୍ମୟ ଓ ପ୍ରଶ୍ନ କରିବାର ଚିନ୍ତାଧାରାକୁ ନେତୃତ୍ୱର ଆଧାର ବୋଲି ଦର୍ଶାଇଥିଲେ । ବିଶ୍ୱବିଦ୍ୟାଳୟ କୁଳାଧ୍ୟାକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣୀ ‘ବେଷ୍ଟ୍ ଅଫ୍ ଓଡ଼ିଶା ଟୁ ଦି ୱାର୍ଲ୍ଡ ଆଣ୍ଡ୍ ବେଷ୍ଟ୍ ଅଫ୍ ୱାର୍ଲ୍ଡ ଟୁ ଓଡ଼ିଶା’ ଉପରେ ଆଲୋଚନା କରି ପ୍ରତିନିଧିମଣ୍ଡଳୀକୁ ସମାଜ ପ୍ରତି ଉତ୍ତରଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ । କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ନବାଚାର, ଉଦ୍ୟମିତା, କୌଶଳ ବିକାଶ ଏବଂ ବହୁ-ସାଂସ୍କୃତିକ ସହଯୋଗ ଦ୍ୱାରା ବିଶ୍ୱସ୍ତରରେ ନିଜ ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ଦିନ ଉଦଯାପନୀ ଅଧିବେଶନରେ “ଲିଡରଶିପ୍ ଇନ୍ ଦି ଏଜ୍ ଅଫ୍ ଏଆଇ: ଫ୍ରମ୍ ଆଇଡିଆଜ୍ ଟୁ ଇନଷ୍ଟିଚ୍ୟୁସନ୍ସ” ଉପରେ ଏକ ସାରଗର୍ଭକ ଚର୍ଚ୍ଚା ହୋଇଥିଲା । ଏଥିରେ ପ୍ରୋ. କୁଲକର୍ଣ୍ଣୀ ଉଦବୋଧନ ଦେଇଥିବା ବେଳେ ଡ. ଭରତ ଦାଶ ମଞ୍ଚ ସଞ୍ଚାଳନ କରିଥିଲେ । ଏଥିରେ କୃତ୍ରିମ ବୁଦ୍ଧିମତ୍ତା, ଭୂ-ରାଜନୀତି, ରାଷ୍ଟ୍ର ନିର୍ମାଣ ଏବଂ ଶିକ୍ଷା କ୍ଷେତ୍ରରେ ବଦଳୁଥିବା ନେତୃତ୍ୱର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ଡ. ଦାଶ ଫାକଲ୍ଟି ଅଫ୍ ଇଷ୍ଟର୍ନ ନଲେଜ ସିଷ୍ଟମ ସମ୍ପର୍କରେ ଆଲୋକପାତ କରିବା ସହ ଏହା କିଭଳି ଅନ୍ତର୍ଜାତୀୟ ବିଦ୍ୟାର୍ଥୀମାନଙ୍କ ପାଇଁ ସୁଯୋଗ ଆଣିବ, ତାହା ମଧ୍ୟ କହିଥିଲେ । ଡ. ସତ୍ୟଜିତ ଆର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ ବିଶ୍ୱବିଦ୍ୟାଳୟର ଉଦ୍ୟମ ଏବଂ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ସୁଶ୍ରୀ କାମ୍ୟା ମିଶ୍ର ନବାଚାର ଏବଂ ଉଦ୍ୟମିତା କ୍ଷେତ୍ରରେ ଯୁବପିଢ଼ିର ଭୂମିକାକୁ ଗୁରୁତ୍ୱ ଦେଇଥିଲେ । “ଷ୍ଟୋରିଜ୍ ଅଫ୍ ଇମ୍ପାକ୍ଟ: ୟଙ୍ଗ୍ ଏଣ୍ଟରପ୍ରେନ୍ୟୁର୍ସ ଆଣ୍ଡ୍ ଚେଞ୍ଜ-ମେକର୍ସ ଶେପିଂ ଦ ଫ୍ୟୁଚର” ବିଷୟ ଉପରେ ଆୟୋଜିତ ପ୍ୟାନେଲ ଆଲୋଚନାରେ ଶ୍ରୀ ଅବିନାଶ ସାହୁ, ଡ. ବିଶ୍ୱରଞ୍ଜନ ପ୍ରଧାନ ଏବଂ ସୁଶ୍ରୀ ନିଶିତା ବଳିଆସିଂହ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଶ୍ରୀ ଭଗବତି ପ୍ରସାଦ ପଟ୍ଟନାୟକ ଅଧିବେଶନକୁ ସଞ୍ଚାଳନ କରିଥିଲେ । ଏହି ଅବସରରେ ବିମଷ୍ଟେକ୍ ପ୍ରତିନିଧିମାନେ ପେଟେଣ୍ଟ୍ ପ୍ରସ୍ତୁତକାରୀ, ଗବେଷକ, ଲେଖକ ଏବଂ ନବୋନ୍ମେଷକ ମାନଙ୍କ ସହ ସମ୍ବାଦ ବିନିମୟ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ପ୍ରଫେସର (ଡ.) କେଶରୀ ସିଂହ, ଜ୍ୟୋତିରଞ୍ଜନ ଗଡ଼ନାୟକ, ଡ. ବୁଲବୁଲ ବବଲୀନା, ଡ. ନେହା, ଅକ୍ଷତ ଶୁଭମ୍, ଡ. ଋଚା ବଘେଲ, ଶ୍ରୀ ସୌରଭ ବୱେଜା, ସୁଶ୍ରୀ ଆସ୍ଥା ଶ୍ରୀବାସ୍ତବ, ଶ୍ରୀ ବିଶ୍ୱପ୍ରକାଶ ପରିଡ଼ା, ସୁଶ୍ରୀ ସୋନାଲି ଦାସ, ଶ୍ରୀ କୌଶିକ କପୁରିଆ, ନବୀନ କୁମାର ଏବଂ ଅନ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେଥିପାଇଁ କୁଳାଧ୍ୟକ୍ଷା ପ୍ରୋ. ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର (ଡ.) ତେଜପ୍ରତାପ ଏବଂ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ସମସ୍ତ ଆୟୋଜକମଣ୍ଡଳୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ସାଧୁବାଦ ଦେଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment