ଜମୁଛି ତାଳ ସଜ ବେପାର, ସାବିତ୍ରୀ ବ୍ରତ ପାଇଁ ଲୋକଙ୍କ ଭିଡ଼
ସମ୍ବଲପୁର/ବରପାଲି,
ବରପାଲି ସହରର ବରଲାବାହାଲ ଛକରେ ଏବେ ତାଳ ସଜ ବେପାର ଜୋରଦାର ଚାଲିଛି । ରାସ୍ତା କଡରେ ଅସ୍ଥାୟୀ ଦୋକାନ କରି ବ୍ୟବସାୟୀମାନେ ତାଳ ସଜ ବିକ୍ରି କରୁଥିବା ବେଳେ ଲୋକଙ୍କ ଭଲ ଭିଡ଼ ଦେଖିବାକୁ ମିଳୁଛି । ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଗ୍ରାହକମାନଙ୍କ ଯିବାଆସିବା ଲାଗିରହୁଛି। ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁସାରେ, ସେମାନେ ତାଳ ସଜକୁ ପ୍ୟାକେଟ ପିଛା ପ୍ରାୟ ୬୦୦ ଟଙ୍କାରେ କ୍ରୟ କରୁଛନ୍ତି। ପରେ ଖୁଚୁରା ବିକ୍ରି କରି ସେଥିରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଥିବା କହିଛନ୍ତି । ବିଶେଷ କରି ରାସ୍ତା କଡରେ ପସରା ମେଲାଇ ବିକ୍ରି କରାଯାଉଥିବାରୁ ଯାତ୍ରୀ ଓ ସ୍ଥାନୀୟ ଲୋକ ସହଜରେ କିଣିପାରୁଛନ୍ତି, ଯାହା ଫଳରେ ବେପାର ଭଲ ଜମୁଛି । ଏହା ସହିତ ଆଗାମୀ ସାବିତ୍ରୀ ପାଳନ ପାଇଁ ତାଳ କିଣିବାକୁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ବ୍ରତ ଓ ପୂଜାପାଠରେ ତାଳର ବିଶେଷ ମହତ୍ତ୍ୱ ଥିବାରୁ ମହିଳାମାନେ ବେଶି ପରିମାଣରେ କ୍ରୟ କରୁଛନ୍ତି । ବ୍ୟବସାୟୀମାନେ ମଧ୍ୟ ଏହି ସମୟକୁ ଧ୍ୟାନରେ ରଖି ଅଧିକ ପରିମାଣରେ ତାଳ ସଂଗ୍ରହ କରି ଆଣୁଛନ୍ତି। ବର୍ତ୍ତମାନ ବଜାରରେ ତାଳ ସଜର ଦର କିଲୋ ପିଛା ୮୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିଛି । ଦର ସାଧାରଣ ଲୋକଙ୍କୁ ସୁହାଉ ଥିବାରୁ ଲୋକେ ଖୁସିରେ ଏହି ଋତୁକାଳୀନ ଫଳକୁ ଆଗ୍ରହରେ କିଣୁଛନ୍ତି । ତାଳ ସଜ ଗ୍ରୀଷ୍ମରେ ଶରୀରକୁ ଶୀତଳ ରଖିବା ସହିତ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ମନେ କରାଯାଏ। ସେଥିପାଇଁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق