BREAKING
Loading...
:

ଝାଇଁ ଝାଇଁ କଲାଣି ଖରା : ୪୨ ଡିଗ୍ରୀ ମୁହାଁ ପାରଦ, ଆହୁରି ବଢିବ ତାତି... ୧୦ରୁ ଉପକୂଳରେ ଜାଳିବ.....*

 *ଝାଇଁ ଝାଇଁ କଲାଣି ଖରା : ୪୨ ଡିଗ୍ରୀ ମୁହାଁ ପାରଦ, ଆହୁରି ବଢିବ ତାତି... ୧୦ରୁ ଉପକୂଳରେ ଜାଳିବ.....*





ଭୁବନେଶ୍ୱର, - : ଡହଡହ ଖରାକୁ ଝାଞ୍ଜି ମାଡ଼ । ଝାଇଁ ଝାଇଁ କରିଦେଲା ଦେହ, ମୁଣ୍ଡ । ଖରାରେ ଟିକିଏ ଛିଡ଼ା ହୋଇଗଲେ ସିଝିଲା ଭଳି ଲାଗୁଥାଏ । ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା 'ହିଟ୍ ୱେଭ୍' ପ୍ରକୋପ । ଦିନରେପାରଦ ମାରିଲା ବଡ଼ ଡିଆଁ । ଅସ୍ୱାଭାବିକ ବେଗରେ ଉପରମୁହାଁ ହେଲା ତାପମାତ୍ରା ।

ସକାଳୁ ଟାଏଁ ଟାଏଁ ଖରା । ଦିନ ବଢ଼ିବା ସହ ପାରଦ ପହଞ୍ଚିଗଲା ୪୨ ଡିଗ୍ରୀ ସେଲସିୟସ ପାଖାପାଖି । ନିଆଁ ମାଡ଼ ଭଳି ଅନୁଭୂତ ହେଲା ଅନେକ ଜିଲ୍ଲାରେ । ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ୯ଟି ଜାଗାରେ ପାରଦ ୪୦ ଡିଗ୍ରୀ ଡେଇଁଲା ।


ଏବେସର୍ବାଧିକ ତାତି ଥିଲା ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ । ସେଠାରେ ପାରଦ ୪୧.୬ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ସ୍ୱାଭାବିକଠାରୁ ତାତି ୩ ଡିଗ୍ରୀ ବଢ଼ିଯିବାରୁ ଅସ୍ୱାଭାବିକ ଗରମରେ ଛଟପଟ ହୋଇଥିଲେ ଝାରସୁଗୁଡ଼ା ସହରବାସୀ । ଶିଳ୍ପନଗରୀ ଅନୁଗୁଳ ୪୦.୭ ଡିଗ୍ରୀ ଖରାରେ ନାକେଦମ ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକରେ ପାରଦ ଡିଆଁ ମାରି ୪୦.୫ ଡିଗ୍ରୀରେ ପହଞ୍ଚିଛି । ଅନ୍ୟ ସହର ଭିତରେ ଟିଟିଲାଗଡ଼ ୪୦.୫, ହୀରାକୁଦ ୪୦.୪, ବଲାଙ୍ଗୀର ୪୦.୩, ସମ୍ବଲପୁର ୪୦, ପାରଳାଖେମୁଣ୍ଡି ୪୦ ଡିଗ୍ରୀ ତାପମାତ୍ରାରେ ସିଝିଥିଲା । ରାଉରକେଲା ୩୯.୫, ସୁନ୍ଦରଗଡ଼ ୩୯.୫, ବାରିପଦା ୩୯ ଡିଗ୍ରୀ ଛୁଇଁଥିଲା । ଉପକୂଳରେ ବି ପାରଦ ୩୮ ଉପରେ ପହଞ୍ଚିଥିଲା । କଟକ ୩୮.୪ ଓ ଭୁବନେଶ୍ୱର ୩୮.୭ ଡିଗ୍ରୀରେ ଝାଇଁ ଝାଇଁ ହୋଇଯାଇଥିଲା । ଭୁବନେଶ୍ୱର ଭଳି ସହରରେ ତାପମାତ୍ରା ସ୍ୱାଭାବିକ ଠାରୁ ୨.୨ ଡିଗ୍ରୀ ଅଧିକ ଥିଲା । କଟକ ଓ ଭୁବନେଶ୍ୱରରେ  ଅସ୍ୱାଭାବିକ ତାତି ଅସ୍ତବ୍ୟସ୍ତ କରି ଦେଇଥିଲା । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାର୍ କରିଥିଲା ।


ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଯାହ  ଏମିତି ଗରମ ନାକେଦମ କରିବ । ତା' ପରବର୍ତ୍ତୀ ଦୁଇଦିନରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦୁଇ ସପ୍ତାହ ପାଇଁ ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଚଳିତ ସପ୍ତାହରେ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ । ପରବର୍ତ୍ତୀ ସପ୍ତାହରେ (ଏପ୍ରିଲ ୧୦ରୁ ୧୬ ଏପ୍ରିଲ) ଉପକୂଳ ଓଡ଼ିଶାକୁ ହିଟ୍ ୱେଭ୍ର ସ୍ୱଳ୍ପ ସମ୍ଭାବନା ଅଛି । ଏହି ଆକଳନ ଅନୁସାରେ ଉପକୂଳ ଓଡ଼ିଶା ଏବଂ କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ । ଆଗାମୀ ଦୁଇ ସପ୍ତାହ ଭିତରେ ବଡ଼ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷାର ବିଶେଷ ସମ୍ଭାବନା ନାହିଁ ରାଜ୍ୟରେ । ଯଦିଓ ଭୁବନେଶ୍ୱର କେନ୍ଦ୍ର ସୂଚନା ଦର୍ଶାଉଛି, ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ଉତ୍ତର ଉପକୂଳରେ କାଳବୈଶାଖୀ ସମ୍ଭାବନା ଅଛି । ତା'ପରେ କାଳବୈଶାଖୀ କମିଯିବ ।


ଶୁକ୍ରବାର ଓ ସନିବର ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ପଡ଼ିଛି । ଗଜପତି ଜିଲ୍ଲାର ମୋହନାରେ ବର୍ଷା, ପବନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବାବେଳେ ବଜ୍ରପାତରେ ୪ଟି ବଳଦ ପ୍ରାଣ ହରାଇଛନ୍ତି । କଟକରେ ଅପରାହ୍ନରେ କଳାହାଣ୍ଡିଆ ମେଘ ବାଦଲ ଢାଙ୍କିଥିବାବେଳେ ଅଧା ଘଣ୍ଟା ହାଲୁକା ବର୍ଷା ହୋଇଛି । ଭୁବନେଶ୍ୱରରେ ଦିନ ୨ଟା ପର୍ଯ୍ୟନ୍ତ ଟାଣ ଖରା ଥିବାବେଳେ ଅପରାହ୍ନରେ ପାଗ ମେଘୁଆ ହୋଇଥିଲା । ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ପାଣିପାଗ ବିଭାଗ ଆକଳନ ହେଲା,  କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ,  ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ଓ କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ହୋଇପାରେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS