ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l
ନୂଆପଡ଼ା,
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ, ସମନ୍ଵିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ପାଞ୍ଚଟି ବ୍ଲକରେ ୫୫ ଏକର ନୂତନ ଆମ୍ବ ବଗିଚା ସୃଷ୍ଟି କରା ଯାଇଛି। ସେହିପରି, ୫ ଏକର ଜମିରେ ନୂତନ ହାଇବ୍ରିଡ ଅମୃତଭଣ୍ଡା ବଗିଚା ସୃଷ୍ଟି କରା ଯାଇଛି।
ଏହାସହିତ ଉଦ୍ୟାନ କୃଷି ବିଭାଗର ଯୋଜନାମାନ, ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, “ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ନୂଆଗାଁ ଗ୍ରାମର ମହେଶ୍ୱର ବାଗ, ପଲ୍ସାଗୁଡ଼ାର ଧିରୁ ସାହୁ, ବ୍ରହ୍ମାପଡ଼ାର ସୁକାନ୍ତି କଶ୍ୟପ, ମହୁଲପଡ଼ାର ନିରଞ୍ଜନ ମାଝୀ ଓ ଖଡ଼ିଆଳ ଛତା ଗ୍ରାମର ମଣିରାମ ମାଝୀ। ବୈଠକରେ କୋମନା ସହାୟକ ଉଦ୍ୟାନ କୃଷି ଅଧିକାରିଣୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖଡ଼ିଆଳ ସହାୟକ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକ ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق