BREAKING
Loading...
:

ନୂଆପଡ଼ାରେ ସ୍ଵାସ୍ଥ୍ୟ ସମୀକ୍ଷା ବୈଠକ। ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଘରେଘରେ ସ୍ୱାସ୍ଥ୍ୟ ସେବା ଅଭିଯାନ

 ନୂଆପଡ଼ାରେ ସ୍ଵାସ୍ଥ୍ୟ ସମୀକ୍ଷା ବୈଠକ। ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଘରେଘରେ ସ୍ୱାସ୍ଥ୍ୟ ସେବା ଅଭିଯାନ - ଜିଲ୍ଲାପାଳ



ନୂଆପଡ଼ା, 


ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ  ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 


ବୈଠକ ଆରମ୍ଭରେ ସିଡିଏମଓ ଡ. ଧନେଶ୍ୱର ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।


ଜିଲ୍ଲାପାଳ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର କମେଇବାକୁ ସର୍ବାଧିକ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଜୋର ଦେଇଥିଲେ। ଗତ ଫେବୃଆରୀ ମାସରେ ୩ଟି ମାତୃ ମୃତ୍ୟୁ ଓ ୧୮ଟି ଶିଶୁ ମୃତ୍ୟୁ ଘଟଣା ରିପୋର୍ଟ ହୋଇଥିବାରୁ ସେଗୁଡ଼ିକର ମୂଳ କାରଣ ଚିହ୍ନଟ କରି ନିରାକରଣମୂଳକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। 


ଜିଲ୍ଲାରେ ଆଣ୍ଟିନେଟାଲ କେୟାର (ANC) କ୍ଷେତ୍ରରେ ୧୦୩ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ଏବଂ ଡେଲିଭେରି ପଏଣ୍ଟରେ ନବଜାତ ଶିଶୁ ସ୍କ୍ରିନିଂ ୯୪ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି, ଯାହାକୁନେଇ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ସୂଚକରେ ସୁଧାର ଆଣିବାକୁ ମଧ୍ୟ ସେ କହିଥିଲେ। 


ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟରେ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟ ପରିଚୟ ପତ୍ର (ଆଭା ଆଇଡି) ସୃଷ୍ଟି କରି ସ୍ୱାସ୍ଥ୍ୟ ତଥ୍ୟକୁ ଡିଜିଟାଲ ମାଧ୍ୟମରେ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରୂପେ ୮୦ ବର୍ଷ ଉର୍ଦ୍ଧ୍ୱ ବୟସ୍କ ନାଗରିକମାନଙ୍କ ପାଇଁ ଘରେଘରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ବିଶେଷ ‘ଅଭିଯାନ’ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରତି ମାସ ଥରେ ବରିଷ୍ଠ ନାଗରିକ ମାନଙ୍କ ଘରକୁ ଯାଇ ତାଙ୍କ ରକ୍ତ ଚାପ ଓ ମଧୁମେହ ପରୀକ୍ଷା କରିବେ। ଏହା ଦ୍ୱାରା ବୃଦ୍ଧମାନଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ କହିଥିଲେ।


ଏହି ଅବସରରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ସମିତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହସ୍ପିଟାଲ ଉନ୍ନୟନ ଓ ସେବା ସୁଧାର ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।


ବୈଠକରେ, ଡିପିଏମଓ ସତ୍ୟନାରାୟଣ ତ୍ରିପାଠୀ, ଡିଏମଓ (ଏମଏସ୍)- କମ୍-ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଲଳିତ ମୋହନ ବିଶି, ଡିପିଏଚଓ ଡାକ୍ତର ଦ୍ୱାରିକାନାଥ ସତପଥୀ, ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତି, ଏଡିପିଏଚଓ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS