ପି.ଏମ୍.ଶ୍ରୀ ତାଳବସ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ଆଲୋଚନାଚକ୍ର
ବାଙ୍କୀ,୨୮ା୩ (ମାନସ ରଞ୍ଜନ ସାହୁ ):ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଆଜି “ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ଏବଂ ସବୁଜଶକ୍ତି” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ପାଣି ଏହି ଆଲୋଚନାଚକ୍ରରେ ସଭାପତିତ୍ୱ କରି ଜଳବାୟୁ କିପରି ପରିବର୍ତ୍ତନ ହେଉଛି ସେ ସଂପର୍କରେ ସମ୍ୟକ ସୁଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପରିବେଶ ପ୍ରଦୂଷଣ , ବ୍ୟାପକ ବୃକ୍ଷ ଛେଦନ, କଳକାରଖାନା ବୃଦ୍ଧି ଆଦି କାରଣରୁ ଜଳବାୟୁ ପରିବର୍ତ୍ତନ ଘଟୁଛି ବୋଲି ପ୍ରକାଶ କରିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଠିକ୍ ସମୟରେ ବର୍ଷା, ଶୀତ ଓ ଗ୍ରୀଷ୍ମ ଅନୁଭୁତି ହେଉନାହିଁ । ଏହା ଫଳରେ ଜଳବାୟୁ ପରିବର୍ତ୍ତନ ହେବା ଫଳରେ ବର୍ଷକ ୬ ଋତୁ ମଧ୍ୟରୁ ଶରତ, ବସନ୍ତ ଓ ହେମନ୍ତ ଋତୁକୁ ଜନସାଧାରଣ ମନରେ ଭୁଲି ଗଲେଣି ବୋଲି ପ୍ରାଧ୍ୟାପକ ମହାପାତ୍ର କହିଥିଲେ । ସବୁଜଶକ୍ତି ରୁ ଶକ୍ତି ସଂଗ୍ରହ କରି ଜନସାଧାରଣଙ୍କ ହିତ ପାଇଁ କିପରି ଉପଯୋଗ ହୋଇ ପାରିବ ସେ ସଂପର୍କରେ ବହୁ ଉଦାହରଣ ମାଧ୍ୟମରେ ପ୍ରାଧ୍ୟାପକ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ନନ୍ଦ, ପ୍ରଦୀପ୍ତ କୁମାର ପୋଥାଳ, ପ୍ରଫୁଲ୍ଲ କୁମାର ପାଲ୍, ଶ୍ରାବଣୀ ମହାପାତ୍ର ପ୍ରମୁଖ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅନ୍ୟତମ ଶିକ୍ଷକ ବନମାଳୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق