ଓଡ଼ିଶାରେ ଶିଶୁ ଅଧିକାର; ଏକ ବିହଙ୍ଗାବଲୋକନ
*ଡା.ରାଜାରାମ ଷଡ଼ଙ୍ଗୀ, ସଦସ୍ୟ, ଶିଶୁ ମଙ୍ଗଳ ସମିତି, ସମ୍ବଲପୁର
ସମ୍ବଲପୁର: -
ଓଡ଼ିଶାରେ ଶିଶୁ ଅଧିକାରକୁ ବହୁତ ଗୁରୁତ୍ୱ ଦିଆଯାଉଛି । ଶିଶୁ ଅଧିକାରକୁ ଶକ୍ତିଶାଳୀ ଆଇନ ଓ ପ୍ରତିଷ୍ଠାନମୂଳକ ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷିତ କରାଯିବା ପାଇଁ ନୀତି ଓ ନିୟମକୁ କଡାକଡି ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆରମ୍ଭ କରାଯାଇ ପ୍ରଶାସନିକ କଳ ସକ୍ରିୟ କରାଯିବା ସହିତ ପଞ୍ଚାୟତିରାଜ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଏହାର ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ସୁଯୋଗ ଦିଆଯାଇଛି । ୧୮ ବର୍ଷରୁ କମ୍ ବୟସର ବାଳିକା ଓ ୨୧ ବର୍ଷରୁ କମ୍ ବୟସର ବାଳକ ଭଳି ସମସ୍ତ ଶିଶୁଙ୍କର ବଞ୍ଚିବା, ସୁରକ୍ଷା, ବିକାଶ ଓ ଅଂଶଗ୍ରହଣ ଅଧିକାରକୁ ନିଶ୍ଚିତ କରିବା ରାଜ୍ୟ ସରକାର ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି। ଶିଶୁଙ୍କ ସୁରକ୍ଷିତ ବଞ୍ଚିବା ଓ ସେମାନଙ୍କୁ ସଶକ୍ତ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହାକୁ ଆଖି ଆଗରେ ରଖି ସରକାର ବହୁମୁଖୀ ଯୋଜନା ସହିତ ଶିଶୁଙ୍କ ସୁରକ୍ଷା ପ୍ରତି ଖୁବ ଯତ୍ନଶୀଳ। ଶିଶୁମାନଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା, ପୌଷ୍ଟିକ ଖାଦ୍ୟ ଓ ସୁରକ୍ଷିତ ପାଣି ପ୍ରାପ୍ତିର ଅଧିକାର ଥିବାରୁ ପ୍ରତି ଶିଶୁ ବାଟିକାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ଶୌଚାଳୟ, ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି।
ଶିଶୁଙ୍କ ବିକାଶ ହେଉଛି ସେମାନଙ୍କ ବଡ଼ ଅଧିକାର। ତେଣୁ ଶିକ୍ଷା ସହିତ ଖେଳ, ସାଂସ୍କୃତିକ କାର୍ଯ୍ୟକଳାପ ଓ ମନୋବୃତ୍ତିକ ଉନ୍ନତି ପାଇଁ ସୁଯୋଗ ଦିଆଯିବାକୁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏପରିକି ସେମାନଙ୍କ ସୁରକ୍ଷା ଅଧିକାର ଏକ ମୁଖ୍ୟ ଅଂଶ ହୋଇଥିବାରୁ ଶିଶୁମାନେ ଯେଭଳି ଶାରୀରିକ ଓ ମାନସିକ ନିର୍ଯାତନାରୁ ସୁରକ୍ଷିତ ରହିବେ ସେଥିପ୍ରତି ବାରମ୍ବାର ସଚେତନ କରାଯାଉଛି। ଶିଶୁ ଶ୍ରମ ଓ ବାଲ୍ୟ ବିବାହ ଶିଶୁଙ୍କ ଭବିଷ୍ୟତ ପ୍ରତି ବଡ଼ ବିପଦ ହୋଇଥିବାରୁ ଏହାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ବିଭାଗ ର ସମ୍ମନ୍ୱୟ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଶିଶୁ ଜଣେ ଜଣେ ସୁ ନାଗରୀକ ହେବେ ଏଥିପାଇଁ ପ୍ରତିଯୋଗିତା ମୂଳକ ଭାବେ ଶିଶୁଙ୍କୁ ଉତ୍ସାହିତ କରାଯାଉଛି। ସେମାନଙ୍କ ଅଂଶଗ୍ରହଣର ଅଧିକାର ରହିଛି। ନିଜ ଜୀବନ ସମ୍ବନ୍ଧୀୟ ବିଷୟରେ ମତ ପ୍ରକାଶ କରିବା ଓ ସମ୍ମିଳିତ ହେବାର ସୁଯୋଗ ଶିଶୁମାନଙ୍କୁ ମିଳିବା ଉଚିତ ବୋଲି ସରକାର ବିଚାର କରୁଥିବାରୁ ସେମାନଙ୍କ ସୁରକ୍ଷା ସହିତ ଶିକ୍ଷା, ଜ୍ଞାନ କୌଶଳ, ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଉଛି।
ଶିଶୁ ସୁରକ୍ଷା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରହିଛି। ଏହା ରାଜ୍ୟରେ ଶିଶୁ ଅଧିକାରର ସୁରକ୍ଷା ଓ ନିରୀକ୍ଷଣ ପାଇଁ କାମ କରେ। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ରହିଛି, ଯାହା ଜିଲ୍ଲା ସ୍ତରରେ ଶିଶୁମାନଙ୍କ ସୁରକ୍ଷା ଓ ପୁନର୍ବାସ ପାଇଁ କାର୍ଯ୍ୟ କରିଥାଏ। ଶିଶୁ ସୁରକ୍ଷା ପାଇଁ ସରକାର ପ୍ରମୁଖ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି।ରାଜ୍ୟରେ ବାଲ୍ୟ ବିବାହ ଓ ଶ୍ରମ ନିଷେଧ ଆଇନ ରହିଛି। ଶିଶୁ ବିବାହ ଓ ଶିଶୁ ଶ୍ରମ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବିଭାଗୀୟ ଦାୟିତ୍ୱ ଦେବା ସହ ଏହାର ଅବହେଳା ହେଲେ ବିଭାଗୀୟ ଅଧିକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ରହିଛି। ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ରାଜ୍ୟରେ ଆଦୌ ପ୍ରୋତ୍ସାହନ ନାହିଁ, ବରଂ ଏମାନଙ୍କୁ ଉଦ୍ଧାର କରାଯାଇ ସମାଜର ମୂଳ ସ୍ରୋତରେ ଛିଡା କରାଇବାକୁ ସରକାର ସମସ୍ତ ଦ୍ୱାର ଉନ୍ମୁକ୍ତ ରଖିଛନ୍ତି। ସରକାର ଓ ସମ୍ବନ୍ଧିତ ସଂସ୍ଥାମାନେ ରାସ୍ତା ଓ ସାଧାରଣ ସ୍ଥାନରେ ଭିକ୍ଷା ମାଗୁଥିବା ଶିଶୁଙ୍କୁ ଉଦ୍ଧାର କରି ପୁନର୍ବାସ କରୁଛନ୍ତି।
ଏପରିକି ଶିଶୁଙ୍କୁ ନିଶୁଳ୍କ ଆଇନ ସହାୟତା ଦିଆଯାଇଥାଏ। ଜୁଭେନାଇଲ୍ ଜଷ୍ଟିସ୍ ଆଇନ ଅନୁସାରେ ଶିଶୁମାନଙ୍କୁ ନିଶୁଳ୍କ ଆଇନ ସହାୟତା ପ୍ରଦାନ କରାଯାଉଛି। ସମୁଦାୟର ସହଯୋଗ, ସଚେତନତା ଓ କଡ଼ା ଆଇନ ପ୍ରୟୋଗ ମାଧ୍ୟମରେ ଓଡ଼ିଶାରେ ଶିଶୁ ଅଧିକାର ସୁରକ୍ଷାକୁ ଆହୁରି ମଜବୁତ କରାଯାଉଛି। ଶିଶୁଙ୍କୁ ଅବହେଳା ନୁହେଁ ବରଂ ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ଅପରିହାର୍ଯ୍ୟ ହୋଇଥିବାରୁ ସରକାର ଏଥିପ୍ରତି ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ରାଜ୍ୟରେ ଶିଶୁ ସୁରକ୍ଷା ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥିବାରୁ ପଲ୍ଲୀରୁ ଆରମ୍ଭ କରି ରାଜଧାନୀ ଯାଏ ସବୁ ସ୍ତରରେ ଶିଶୁ ସୁରକ୍ଷା କମିଟି କାର୍ଯ୍ୟ କରୁଥିବାରୁ ସଶକ୍ତ ଶିଶୁ ଲକ୍ଷ୍ୟ ପୂରଣ ପାଇଁ ଜନ ସାଧାରଣଙ୍କ ଅଂଶୀଦାର ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ। ଏହାକୁ ନିର୍ବାହ କରିବାରେ ସମସ୍ତଙ୍କ ସଦିଚ୍ଛା ରହିଲେ ସଶକ୍ତ ଶିଶୁ ସଶକ୍ତ ପରିବାର ସ୍ୱପ୍ନ ପୂରଣ ହୋଇପାରିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment