ବିଇଏମସି କର୍ମଚାରୀଙ୍କ ମନମୁଖୀ
ଉନ୍ନୟନ କାର୍ଯ୍ୟ ବନ୍ଦ କରିବେ ଠିକାଦାର
ବ୍ରହ୍ମପୁର, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ଜଣେ କର୍ମଚାରୀ (ଏଚଏମଓ) ମନମୁଖୀ କାର୍ଯ୍ୟକଳାପ, ଦୁର୍ବ୍ୟବହାର ଓ ତାଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ବିରୋଧରେ ବିଇଏମସି ଠିକାଦାରମାନେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ଜଣେ ଠିକାଦାର ନିଜ କାମର ବିଲ୍ ସଂପର୍କରେ ବିଇଏମସିର ଜଣେ କର୍ମଚାରୀଙ୍କୁ ପଚାରିଥିଲେ। କିନ୍ତୁ ଉକ୍ତ କର୍ମଚାରୀ ଜଣକ ଠାକାଦାରଙ୍କ ସଠିକ୍ ତଥ୍ୟ ଦେଇ ନ ଥିବା ବେଳେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ କରିଥିଲେ। ଯାହାକୁ ନେଇ ବିଇଏମସି ଠିକାଦାର ସଂଘ ପକ୍ଷରୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଇଏମସି କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିସହ କର୍ମଚାରୀ ଜଣଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଥିଲେ। ଏହାପରେ କମିଶନର ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜକୁ ୨ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି। ଫଳରେ ଠିକାଦାରମାନେ ବିଇଏମସିର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ସୂଚନା ମିଳିଛି। ଅନ୍ୟପଟେ ବିଇଏମସିରେ ଏଭଳି ଭାବେ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି ହେଉଥିବାରୁ ନିଗମର ସାଧାରଣ କାର୍ଯ୍ୟ ପ୍ରଣାଳୀ ଗୁରୁତର ଭାବେ ପ୍ରଭାବିତ ହେଉଛି। କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ବିବାଦ ଥମୁନି। ଫଳରେ ସହରର ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଯଦ୍ୱାରା ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଘଟଣା ଗୁଡିକୁ ବିଇଏମସି କର୍ତ୍ତୃପକ୍ଷ ଗୁରୁତର ସହ ନେଇ ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment