ବରପାଲି ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ପାଲଟିଛି ଅସାମାଜିକଙ୍କ ଆଡ଼ା
ସମ୍ବଲପୁର/ବରପାଲି:
ବରପାଲି-ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ବିଗତ ସରକାର ସମୟରେ ପୂର୍ତ୍ତ ବିଭାଗ ଦ୍ବାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଥିଲା । ଏହାକୁ ୨୦୧୮ ଜୁଲାଇ ୩୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରାୟ ଦୁଇ ବର୍ଷ ପରିଚାଳିତ ହେବା ପରେ, ଏବେ କିନ୍ତୁ ସଂପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। କିଛି ଦିନ ପାଇଁ ମିସନ ଶକ୍ତି ଦ୍ଵାରା ଏହା ପରିଚାଳିତ ହୋଇଥିଲା । ବର୍ତ୍ତମାନ ତାହା ଖତ ଖାଉଥିବା ସହ ସେଠାରେ ବ୍ୟବହୃତ ହେଉଥିବା ବିଦ୍ୟୁତକରଣର ସୋଲାର ପ୍ୟାନାଲ ଆଦି ସାମଗ୍ରୀ ସବୁ ଚୋରି ହୋଇଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏହି ସୁବିଧା କେନ୍ଦ୍ର ଏବେ ବନ୍ଦ ପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କାରଣ ବରପାଲି ଏକ ବିଜ୍ଞାପିତ ଅଂଚଳ ପରିଷଦ ହୋଇଥିଲେ ହେଁ ଶୌଚାଳୟ କିମ୍ବା ଯାତ୍ରୀ ପ୍ରତୀକ୍ଷାଳୟଟିଏ ନଥିବାରୁ ବିଶେଷ କରି ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରଠାରୁ ୩ କିଲୋମିଟର ଦୂରରେ ପଥପ୍ରାନ୍ତ କେନ୍ଦ୍ରଟି ଥିଲେ ସୁଦ୍ଧା ସେଠାରେ ସମସ୍ତ ସୁବିଧା ରହିଥିଲା । ଏହାର ପରିଚାଳନା ପାଇଁ କର୍ମଚାରୀମାନେ ମଧ୍ୟ ନିଯୁକ୍ତି ହୋଇଥିଲେ। ସୁବିଧା କେନ୍ଦ୍ର ବନ୍ଦ ହେବା ଦ୍ଵାରା କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଫଳରେ ନିଜ ପରିବାର ପ୍ରତିପୋଷଣ ପାଇଁ ସେମାନେ ନାନା ଦହଗଂଜ ହେବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ ଜଣାଇଥିଲେ । ଦୀର୍ଘ ବର୍ଷ ହେବ ବନ୍ଦ ପଡ଼ିବାରୁ ବର୍ତ୍ତମାନ ମଦୁଆ ଓ ଅସାମାଜିକ ଲୋକଙ୍କ ପାଇଁ ଏହା ସୁବିଧା କେନ୍ଦ୍ର ପାଲଟିଥିବା ଲୋକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ହେଉଛି। ବର୍ତ୍ତମାନ ରାଜ୍ୟ ସରକାର ବରପାଲିକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଥିବାରୁ ସହରର ଉନ୍ନତି ଦିଗରେ ଜିଲ୍ଲାପାଳ ଓ ଏନ୍ଏସି କର୍ତ୍ତୃପକ୍ଷଙ୍କ ତତ୍ପରତା ଦେଖିବାକୁ ମିଳୁଛି। ହେଲେ ଏହି ପଥପ୍ରାନ୍ତ କେନ୍ଦ୍ର ପ୍ରତି ଖୋଦ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରି ଏହାର ବିହିତ ପଦକ୍ଷେପ ନିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment