ରାଜା-ରାଜୱାଡ଼ାର ଗୌରବ ଭୁଲିଗଲା ପ୍ରଶାସନ, ଭୁତକୋଠି ହେଲା ରାଜସ୍ବ ବଙ୍ଗଳା
ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳରେ ଅବସ୍ଥିତ ପୁରୁଣା ରାଜସ୍ବ ବଙ୍ଗଳା କେବଳ ଏକ ଇମାରତ ନୁହେଁ ଏହା ଏଠାକାର ଇତିହାସର ଜୀବନ୍ଧ ସାକ୍ଷୀ। କେବେ ରାଜା-ରଜୱାଡ଼ାଙ୍କ ଶାସନକାଳରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ଭାବେ ଯେଉଁ ବଙ୍ଗଳା ଗରିମାର ପ୍ରତୀକ ଥିଲା, ସେହି ଐତିହ୍ୟବାହୀ ସଂରଚନା ଆଜି ଅବହେଳାର ଶିକାର ହୋଇ ଭୁତକୋଠିର ରୂପ ନେଇଛି। କାଳର ଚକ୍ର ଘୁରିଲା, ପ୍ରଶାସନ ବଦଳିଗଲା, କିନ୍ତୁ ସେଇ ଇମାରତ ନିରବ ଭାବେ ଅତୀତର କଥା କହି ଆସୁଥିଲା। ଦୁଃଖର ବିଷୟ, ଯାହାକୁ ସୁରକ୍ଷା କରିବା ଥିଲା ଆମର ଦାୟିତ୍ବ, ସେହି ସ୍ମୃତିଚିହ୍ନକୁ ଆମେ ଅବହେଳାର ଅନ୍ଧକାରରେ ଛାଡ଼ିଦେଇଛୁ। ଭାଙ୍ଗିପଡ଼ୁଥିବା ଦିବାଳ, ଜର୍ଜରିତ ଛାଦ ଓ ଅବ୍ୟବସ୍ଥିତ ପରିବେଶ ଏସବୁ କେବଳ ଏକ ଇମାରତର ନଷ୍ଟ ନୁହେଁ, ଏହା ଆମ ସମାଜିକ ଅସଚେତନତାର ପ୍ରମାଣ। ସବୁଠୁ ଚିନ୍ତାଜନକ ଯେ, ଏହି ପୁରାତନ ବଙ୍ଗଳା ଏବେ କିଛି ଦୁର୍ବୃତ୍ତ ତତ୍ତ୍ବମାନଙ୍କର ଆଡ଼ାସୁଳୀ ଭାବେ ପରିଣତ ହେଉଥିବା ଅଭିଯୋଗ ମିଳୁଛି। ଯେଉଁ ସ୍ଥାନରେ କେବେ ନୀତି ଓ ପ୍ରଶାସନର ଆଲୋଚନା ହୁଏଥିଲା,ସେଠାରେଯଦିଅସାମାଜିକ କାର୍ଯ୍ୟକଳାପ ଚାଲିଥାଏ, ତେବେ ଏହା ଅଞ୍ଚଳର ସୁରକ୍ଷା ପାଇଁ ଗଭୀର ଆଶଙ୍କାର ବିଷୟ। ପ୍ରଶ୍ନ ଉଠୁଛି ଏତେ ବର୍ଷ ଧରି ପ୍ରଶାସନ ଏହାକୁ କାହିଁକି ଅବହେଳା କରୁଛି? ଏକ ଐତିହ୍ୟବାହୀ ସ୍ଥାପତ୍ୟ କେବଳ ପାଥର ଓ ସିମେଣ୍ଟର ଗଠନ ନୁହେଁ। ଏହା ଆମର ପରିଚୟ, ଆମର ଗୌରବ, ଆମର ଇତିହାସର ଅଂଶ। ଯଦି ଆମେ ଏପରି ସ୍ମୃତିଚିହ୍ନକୁ ସୁରକ୍ଷା କରିପାରୁନାହିଁ, ତେବେ ଆମର ଆଗାମୀ ପିଢ଼ୀ କେମିତି ଜାଣିବେ ନିଜ ଅଞ୍ଚଳର ଗରିମାମୟ ଅତୀତ? ସମୟ ଆସିଛି ଏହି ରାଜସ୍ବ ବଙ୍ଗଳାର ତତ୍କାଳ ସର୍ବେକ୍ଷଣ କରାଯାଉ। ଏହାକୁ ଐତିହ୍ୟ ସ୍ଥଳୀ ଭାବେ ଘୋଷଣାକରିସୁରକ୍ଷାଓପୁନଃନିର୍ମାଣ କରାଯାଉ। ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡା କରାଯାଉ। ସିନାପାଲିର ଏହି ଐତିହ୍ୟବାହୀ ବଙ୍ଗଳା ପୁନର୍ବାର ଗୌରବର ପ୍ରତୀକ ହେବ କି, ନା କାଳକ୍ଷୟରେ ଧ୍ବଂସ ହେଇ ଇତିହାସର ପୃଷ୍ଠାରେ ହାରାଇଯିବ ସେଥ୍ ନିର୍ଭର କରୁଛି ଆମ ସଚେତନତା ଓ ପ୍ରଶାସନର ଇଚ୍ଛାଶକ୍ତି ଉପରେ। ଇତିହାସକୁ ରକ୍ଷା କରିବା ମାନେ କେବଳ ଅତୀତକୁ ସୁରକ୍ଷା କରିବା ନୁହେଁ, ଆମ ପରିଚୟକୁ ସୁରକ୍ଷା କରିବା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment