AIIEA–ECZIEA ଆହ୍ୱାନରେ ଦେଶବ୍ୟାପୀ ଧର୍ମଘଟ, ବୀମା କ୍ଷେତ୍ରରେ ଜୋରଦାର ପ୍ରତିବାଦ
ବ୍ରହ୍ମପୁର; - : ଅଖିଳ ଭାରତ ବୀମା କର୍ମଚାରୀ ସଂଘ (ଏ.ଆଇ.ଆଇ.ଇ.ଏ) ଓ ଇ.ସ.ଜେଡ୍.ଆଇ.ଇ.ଏଙ୍କ ଆହ୍ୱାନରେ ଆଜି ଦେଶବ୍ୟାପୀ ଧର୍ମଘଟ ପାଳିତ ହୋଇଥିଲା। ଧର୍ମଘଟର ପ୍ରଭାବ ଦେଶର ବିଭିନ୍ନ ରାଜ୍ୟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପରିବହନ ସେବା ଅଂଶିକ ଭାବେ ବାଧାପ୍ରାପ୍ତ ହେବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କାର୍ଯ୍ୟକଳାପ ମନ୍ଦଗତି ହୋଇଥିଲା। ବସ୍ ଚଳାଚଳରେ ବିଘ୍ନ ସୃଷ୍ଟି ହେବାରୁ ସାଧାରଣ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
" Unity is Our Strength” ସ୍ଲୋଗାନ୍କୁ ଆଗରେ ରଖି ବ୍ରହ୍ମପୁର ଡିଭିଜନ୍ ଇନସୁରାନ୍ସ ଏମ୍ପ୍ଲୋୟୀଜ୍ ଆସୋସିଏସନ୍ (ବି.ଡି.ଆଇ.ଇ.ଏ), ସି.ଏ.ବି ୟୁନିଟ୍ ପକ୍ଷରୁ ଏହି ଧର୍ମଘଟକୁ ଜୋରଦାର ସମର୍ଥନ ଜଣାଇ ଆନ୍ଦୋଳନକୁ ସଫଳ କରାଯାଇଥିଲା।
ସଂଘ ପକ୍ଷରୁ କୁହାଯାଇଛି ଯେ, ଶ୍ରମିକ ବିରୋଧୀ ଶ୍ରମ କୋଡ୍ ପ୍ରବର୍ତ୍ତନ, ବୀମା କ୍ଷେତ୍ରରେ ୧୦୦ ଶତଂଶ ବିଦେଶୀ ପୁଞ୍ଜି ନିବେଶ (ଏଫ୍.ଡି.ଆଇ) ସୀମା ବୃଦ୍ଧି, ରାଷ୍ଟ୍ରାୟତ କ୍ଷେତ୍ରରୁ ପୁଞ୍ଜି ପ୍ରତ୍ୟାହାର ଓ ପ୍ରଶାସନର ଏକପକ୍ଷୀୟ ନୀତି ବିରୋଧରେ ଏହି ଆନ୍ଦୋଳନ ଆହ୍ୱାନ କରାଯାଇଛି।
ସଂଘ ଦାବି କରିଛି ଯେ, ଏଲ୍.ଆଇ.ସି ରେ Class-III ଓ Class-IV କ୍ୟାଡରରେ ତୁରନ୍ତ ନୂତନ ନିଯୁକ୍ତି କରାଯାଉ, ୧୯୯୫ ପେନ୍ସନ୍ ସ୍କିମ୍ ସମସ୍ତ କର୍ମଚାରୀଙ୍କୁ ପ୍ରୟୋଗ କରାଯାଉ ଓ ଦୀର୍ଘଦିନ ଧରି ଅପେକ୍ଷିତ ଦାବିଗୁଡ଼ିକର ସମାଧାନ କରାଯାଉ। ସଂଘର ମତାନୁସାରେ, ନୂତନ ଶ୍ରମ କୋଡ୍ରେ ନିର୍ଦ୍ଧାରିତ ଅବଧିର ନିଯୁକ୍ତିକୁ ଆଇନଗତ କରାଯିବା, ନିଯୁକ୍ତି ଓ ବହିଷ୍କାର ପ୍ରକ୍ରିୟାକୁ ସହଜ କରାଯିବା ଓ ସଂଗଠନ ପଞ୍ଜିକରଣକୁ କଠିନ କରାଯିବା ପରି ବ୍ୟବସ୍ଥା ଶ୍ରମିକ ଅଧିକାରକୁ ସଙ୍କୋଚିତ କରିପାରେ। ଦୀର୍ଘ ସଂଘର୍ଷର ଫଳସ୍ୱରୂପ ମିଳିଥିବା ଶ୍ରମ ଅଧିକାରକୁ କ୍ଷୁଣ୍ଣ କରିବା ଗଣତାନ୍ତ୍ରିକ ପ୍ରଥା ସହ ସମଂଜସ ନୁହେଁ ବୋଲି ସଂଘ ମତ ପ୍ରକାଶ କରିଛି।
୨୦୨୫ରେ ବୀମା ସଂଶୋଧନ ବିଲ୍ ପାସ୍ ହେବା ପରେ ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ସୀମା ୧୦୦ ଶତଂଶ କରାଯାଇଥିବା ପରିପ୍ରେକ୍ଷିତରେ ସଂଘ ଏହାକୁ ଦେଶୀୟ ବୀମା ଶିଳ୍ପ ପାଇଁ ଦୀର୍ଘମିଆଦି ଚ୍ୟାଲେଞ୍ଜ ବୋଲି ମନେ କରୁଛି। ବୀମା ପ୍ରିମିୟମ ବୃଦ୍ଧିର ସମ୍ଭାବନାକୁ ଦୃଷ୍ଟିରେ ରଖି, ଏହାର ଲାଭ ଦେଶୀୟ ସଂସ୍ଥା ଓ ଗ୍ରାହକମାନଙ୍କ ହିତରେ ବ୍ୟବହୃତ ହେବା ଆବଶ୍ୟକ ବୋଲି ସଂଘ ଜଣାଇଛି।
ଧର୍ମଘଟରେ ବ୍ରାଞ୍ଚ -୧ ଓ ସି.ଏ.ବି ସଭାପତି ସୋମନାଥ ବାନାର୍ଜୀ, ଲଳିତ ମୋହନ ବେହେରା, ସାଧାରଣ ସମ୍ପାଦକ ପ୍ରଶାସନ ସ୍ୱାଇଁ, ବଳରାମ ପାତ୍ରଙ୍କ ସମେତ ବିଭିନ୍ନ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ଆନ୍ଦୋଳନକୁ ସଫଳ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق