BREAKING
Loading...
:

୯ରୁ ମହାନଗର ମହୋତ୍ସବ, ଲୋଗୋ ଉନ୍ମୋଚିତ

 ୯ରୁ ମହାନଗର ମହୋତ୍ସବ, ଲୋଗୋ ଉନ୍ମୋଚିତ 



ସାହିତ୍ୟ, କଳା, ସଂସ୍କୃତି ପୁନରୁଦ୍ଧାର ଲକ୍ଷ *


ବ୍ରହ୍ମପୁର,- ଜାନୁଆରୀ ୯ ତାରିଖରୁ ୧୮ ତାରିଖ ଦୀର୍ଘ ୧୦ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ରୋଡ ସ୍ଥିତ ସେଣ୍ଟ ଷ୍ଟିଫେନ୍ ଚର୍ଚ୍ଚ ପଡିଆ ଠାରେ ଆୟୋଜିତ ହେବ ୧୩ ତମ ବ୍ରହ୍ମପୁର ମହାନଗର ମହୋତ୍ସବ। ଏହି ଅବସରରେ  ଷ୍ଟେସନ୍ ରୋଡ ସ୍ଥିତ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପରିସରରେ ଏକ ପ୍ରସ୍ତୁତି ବୈଠକ ସହ ଲୋଗୋ ଉନ୍ମୋଚନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଯୋଗ ଦେଇ ଲୋଗୋ ଉନ୍ମୋଚନ କରିବା ସହ ଏହି ମହୋତ୍ସବକୁ ଐତିହାସିକ ମହୋତ୍ସବ ଭାବେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ରଖିଥିଲେ। ସେହିପରି ଅନ୍ୟତମ ଅତିଥି ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁ ଚରଣ ପତି କହିଛନ୍ତି ଏଠାରେ କଳା ଓ ସଂସ୍କୃତିର କାର୍ଯ୍ୟକ୍ରମ ସହ ସାହିତ୍ୟ ଚର୍ଚ୍ଚା ହେଉଥିବାରୁ ନିଶ୍ଚିତ ଭାବେ ସମସ୍ତ ବର୍ଗର ଜନସାଧାରଣଙ୍କ ଦ୍ଵାରା ଏହା ଆଦୃତ ହୋଇପାରିବ। ଅନ୍ୟ ଅତିଥିଙ୍କ ମଧ୍ୟରେ ୟୁନିୟନ୍ କ୍ଳବ୍ ସଭାପତି ଭି.ସନ୍ତୋଷ କୁମାର, ସମ୍ପାଦକ ପାର୍ଥ ପାଢ଼ୀ, ପ୍ରେସ୍ କ୍ଳବ୍ ବ୍ରହ୍ମପୁର ସଭାପତି ଅଶୋକ କୁମାର ବ୍ରହ୍ମା ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ରହ୍ମପୁର ସହରରେ ଗତ ୧୨ ବର୍ଷ ଧରି ଅନୁଷ୍ଠିତ ହେଉଥିବା ମହାନଗର ମହୋତ୍ସବ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଚଳିତ ବର୍ଷ ଏହି ମହୋତ୍ସବ ଆୟୋଜନରେ ବହୁ ଗଣ ସଂଗଠନ ଏଥିରେ ସାମିଲ ହେଉଛନ୍ତି। ଏହି ମହୋତ୍ସବ ଏକ ନିଆରା ସ୍ଵାଦର ମହୋତ୍ସବ ହେବ। ଏଥିରେ ଗଂଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଯୋଗାଇ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ ହେବ। ମହୋତ୍ସବ କମିଟି ସଭାପତି ଗୋପାଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ନାରାୟଣ ମହାଙ୍କୁଡଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ କବି,ସାହିତ୍ୟିକ ତଥା ଶିକ୍ଷାବିତ୍ ମିହିର ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହେବ। ଏହି ସାହିତ୍ୟ ମହାକୁମ୍ଭରେ ରାଜ୍ୟର ୧ ହଜାରରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସାମିଲ ହେବେ। ସେହିପରି ୧୦୦ରୁ ଉର୍ଦ୍ଧ୍ୱ ଆଲୋଚକ ମଧ୍ୟ ଯୋଗ ଦେଇ ସାହିତ୍ୟ ସହ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା କରିବେ। ମୋଟ ୧୦ ଦିନର କାର୍ଯ୍ୟକ୍ରମରେ ୧୦୦ ପୁସ୍ତକ ଉନ୍ମୋଚନ ହେବ। ଅନ୍ୟପଟେ ଏହି ମୋହୋତ୍ସବ କେବଳ କଳା ଓ କଳାକାରଙ୍କୁ ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟବସାୟୀଙ୍କୁ ବି ବିକ୍ରିବଟାର ସୁଯୋଗ ଦେବ। ବିଭିନ୍ନ ବିଭାଗ ତଥା ବ୍ୟବସାୟିକ ପ୍ରତିଷ୍ଠାନର ୧ ଶହରୁ ଉର୍ଦ୍ଧ୍ବ ଷ୍ଟଲ, ଯେଉଁଥିରେ ହସ୍ତତନ୍ତ, କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରିର ବ୍ୟବସ୍ଥା କରାଯାଇଛି। ମହୋତ୍ସବର ସୁପରିଚାଳନା ସକାଶେ ଜିଲ୍ଲା ପ୍ରଶାସନ, ଆରକ୍ଷୀ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ୍ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ, ସ୍ଵାସ୍ଥ୍ୟ ବିଭାଗ ତଥା ବ୍ରହ୍ମପୁର ମହାନଗର ନିଗମର ସାହାର୍ଯ୍ୟ ସହଯୋଗ ଲୋଡା ଯାଇଥିବା କମିଟିର ଆବାହକ ଇଂ ଉମା ଚରଣ ପାଣିଗ୍ରହୀ ସୂଚନା ଦେଇଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସୁଦୀପ ସାହୁ, ଚିକୁ ପ୍ରତିନିଧି ଦାୟିତ୍ବ ନିର୍ବାହ କରିବେ।ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଅନୀଲ କୁମାର ପାତ୍ର, ରାମ ସାମଲ, ରଶ୍ମିତା ପାଣିଗ୍ରାହୀ, ମଧୁସ୍ମିତା ରଥ, ରାଜା ସାମନ୍ତ, ଶକ୍ତିଧର ରାଜଗୁରୁ, ସମୀର ଆଚାର୍ଯ୍ୟ, ଦେବହରି ବେହେରା, ପ୍ରଶାନ୍ତ ଦାଶ,ସ୍ଵାଧୀନ ପାତ୍ର, ବାବୁଲା ପାଣିଗ୍ରାହୀ,ସୁଦର୍ଶନ ପରିଡ଼ା, ଅଭିରାମ ପାତ୍ର, ଅନନ୍ତ ନାରାୟଣ ପ୍ରଧାନ, ସୂର୍ଯ୍ୟ ନାରାୟଣ ଦାସ, ମୃତ୍ୟୁଞ୍ଜୟ ସାହୁ, ରାଜେଶ ସାହୁ, ଅରୁଣ ସ୍ବାଇଁ, ଗୋକୁଳା ନନ୍ଦ ତ୍ରିପାଠୀ, ନବୀନ ମହାପାତ୍ର, ପ୍ରଦୀପ ନାହାକ, ଶିବ ନାରାୟଣ ପଣ୍ଡା, ସତ୍ୟ ଚେତନ ପରିଡା, ଶଙ୍କର ରଣା,ଅନୀଲ ପାଢ଼ୀ, ବିଶ୍ଵନାଥ ମାରଣାଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବଶେଷ ପ୍ରମୁଖ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS