ଟାଉନ ମଡେଲ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ
ଖଣ୍ଡପଡ଼ା, ୨୪|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଟାଉନ୍ ମଡ଼େଲ୍ ପ୍ରାଥମିକ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଜଣାପଡିଛି। ପ୍ରାକ୍ ସ୍ବାଧୀନତା ସମୟରେ ଶିକ୍ଷାର ପ୍ରସାର ନିମନ୍ତେ ସହରର ମଧ୍ୟ ଭାଗରେ ସନ୧୯୧୨ ମସିହାରେ ଏହି ଶିକ୍ଷାନୁଷ୍ଠାନଟି ଗଢି ଉଠିଥିଲା। ଇତି ମଧ୍ୟରେ ୧୧୩ ବର୍ଷ ଅତିକ୍ରମ କରିଥିବା ଏହି ଶିକ୍ଷାନୁଷ୍ଠାନଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ। ପୂର୍ବପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ଶିକ୍ଷାନୁଷ୍ଠାନଟିରେ ଏବେ ୧୪୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ତେବେ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ଅଭାବରୁ ବିଭିନ୍ନ ସମୟରେ ପିଲାମାନେ ପାଠ ପଢ଼ିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭଙ୍ଗା, ଦଦରା ଆଜବେଷ୍ଟସ୍ ଛପର ଘରେ ପିଲାମାନେ ବସି ପାଠ ପଢୁଥିବାରୁ ସାଧାରଣରେ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରେଣୀଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷାଦିନେ ଆଜବେଷ୍ଟସ୍ ଛପର ଘରୁ ପାଣି ଗଳୁଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣ୍ଡପଡ଼ା ବ୍ଳକ୍ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧୂକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ଜିଲା ପ୍ରଶାସନ,ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବିଧାୟକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସହରାଞ୍ଚଳବାସୀ ଦାବି କରିଛନ୍ତି।ସେହିପରି ବିଦ୍ୟାଳୟର ବିପଦସଙ୍କୁଳ ଗୃହ ଗୁଡିକ ପ୍ରତି ପ୍ରଶାସନ ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق