ସମାଜସେବୀ ବିଧାନ ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ
ଖଣ୍ଡପଡ଼ା ଉପକାରାଗାର ବନ୍ଦ ନିଷ୍ପତି ପରିବର୍ତ୍ତନ କରାଯାଉ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଉପକାରାଗାର ବନ୍ଦ ନିଷ୍ପତି ପ୍ରସଙ୍ଗକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଆଇନଜୀବୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ତତ୍ତ୍ଵାବଧାନରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଖଣ୍ଡପଡ଼ା ଉପକାରାଗାରକୁ ନୟାଗଡ଼ କାରାଗାର ସହ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରାଯିବା ସହ ଏ ସଂର୍ପକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ପ୍ରଧାନ ମତ ଦେଇଥିଲେ। ଖଣ୍ଡପଡ଼ାବାସୀଙ୍କ ସ୍ବାର୍ଥ ଓ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଖଣ୍ଡପଡ଼ାରେ ଉପକାରାଗାର ଯେପରି ପୂର୍ବପରି କାର୍ଯ୍ଯ କରିବ ସେ ନେଇ ସମସ୍ତ ଚେଷ୍ଟା ଜାରି ରହିବ ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଅଞ୍ଚଳବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଏ ସଂର୍ପକରେ ଖୁବଶୀଘ୍ର ସେ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ। ସେହିପରି ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର ମଧ୍ୟ ସମ୍ମିଳନୀରେ ଉପସ୍ଥିତ ରହି ଖଣ୍ଡପଡ଼ା ଉପକାରାଗାର ବନ୍ଦ ନିଷ୍ପତିକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସରକାର ଏଦିଗରେ ବିଚାରବିମର୍ଶ ନକଲେ ଆଗାମୀ ଦିନରେ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମତ ସାବ୍ୟସ୍ତ କରିଥିଲେ। ସମାନ ଭାବେ କାଉନସିଲର ସତ୍ୟବ୍ରତ ମହାପାତ୍ର ଏବଂ ଦିଗାମ୍ବର ମିଶ୍ର ମଧ୍ୟ ଉପସ୍ଥିତ ରହି ଖଣ୍ଡପଡ଼ା ଉପକାରାଗାର ଯେପରି ପୂର୍ବପରି କାର୍ଯ୍ଯ କରିବ ସେଦିଗରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଥିଲେ। ପ୍ରକାଶ ଥାଉକି ସ୍ଵାଧୀନତା ପୂର୍ବରୁ ୧୯୩୮ ମସିହାରେ ଖଣ୍ଡପଡ଼ାରେ ଏହି ଉପକାରାଗାର ସ୍ଥାପନ ହୋଇଥିଲା। ଏଥିରେ ବହୁ ସ୍ଵାଧୀନତା ସଂଗ୍ରାମୀ, ରାଜନେତା ଯେଉଁମାନେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ ସେମାନେ ବର୍ଷ ବର୍ଷ ଧରି ଏହି ଉପକାରାଗାରରେ କାରାବରଣ କରିଥିଲେ। ତେଣୁ ସହରାଞ୍ଚଳରେ ଥିବା ପ୍ରାୟ ୮୭ ବର୍ଷର ଏହି ଐତିହାସିକ ପୁରୁଣା ଉପକାରାଗାରକୁ ନୟାଗଡ ସ୍ଥାନାନ୍ତର ନିମନ୍ତେ ଗୃହ ବିଭାଗ ନିଷ୍ପତ୍ତିକୁ ଏବେ ସବୁଆଡୁ ପ୍ରତିବାଦ କରାଯାଇଛି। ଫଳରେ ଏଭଳି ଏକ ବିଚିତ୍ର ନିଷ୍ପତ୍ତିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ସହରବାସୀ ଚେତାବନୀ ଦେଇଛନ୍ତି। ସ୍ଵାଧୀନତା ପୂର୍ବର ଏହି ଜେଲ ଉପରେ ଖଣ୍ଡପଡାରେ ଦୁଇଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏବଂ ଭାପୁରରେ ଥିବା ଗୋଟିଏ ବିଚାର ବିଭାଗୀୟ ଅଦାଲତ ଏହିପରି ବର୍ତ୍ତମାନ ୩ ଟି ଅଦାଲତରୁ ଯେଉଁ ମୁଦାଲା ମାନଙ୍କୁ ଜାମିନ ମିଳିନଥାଏ ସେମାନଙ୍କୁ ଏହି କାରାଗାରରେ ରଖାଯାଏ। ମାତ୍ର ଏକ ଆଧାରହୀନ ନିଷ୍ପତ୍ତି ଗୃହ ବିଭାଗ କାହିଁକି ନେଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖଣ୍ଡପଡ଼ା ଅଞ୍ଚଳବାସୀ। ଫଳରେ ଉପକାରାଗାର ଉଠିଯିବା ପ୍ରସଙ୍ଗରେ ଖଣ୍ଡପଡ଼ା ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେଉଥିବା ସୂଚନା ମିଳିଛି। ତେଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉପରିସ୍ଥ ଅଧିକାରୀ ଏଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق