ଖଣ୍ଡପଡା ସହରାଞ୍ଚଳ ଅଧୀନ ବିଭିନ୍ନ ୱାର୍ଡରେ ଡ୍ରେନେଜ ସମସ୍ୟା
ଖଣ୍ଡପଡା (ମଣିଭଦ୍ରା ଖବର) ସହରାଞ୍ଚଳ ଅଧୀନ ବିଭିନ୍ନ ୱାର୍ଡରେ ଡ୍ରେନେଜ ସମସ୍ୟା ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ପୁନରୁଦ୍ଧାର କେବଳ କାଗଜପତ୍ରରେ ସୀମିତ ଥିବା ଅଭିଯୋଗ କରିଛନ୍ତି ସହରାଞ୍ଚଳ ବାସିନ୍ଦା। ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳ ଅନ୍ତର୍ଗତ ୯ନଂ ୱାର୍ଡ ମଣିକର୍ଣ୍ଣିକା ସାହିରୁ ଭୁଟୁଭୁଟି ରାସ୍ତା ଦେଇ ଯାଇଥିବା ଡ୍ରେନ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରିଛି। ପୂର୍ତ୍ତ ରାସ୍ତାକୁ ସଂଯୋଗ କରୁଥିବା ଉକ୍ତ ଡ୍ରେନଟି ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ବର୍ତ୍ତମାନ କିନ୍ତୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଡ୍ରେନର ଉଭୟ ପାର୍ଶ୍ଵରେ ଅନାବନା ଗଛଲତା ପରିପୂର୍ଣ୍ଣ ହୋଇଥିବା ବେଳେ ରାସ୍ତାକୁ ମଧ୍ୟ ମାଡିଗଲାଣି। ଫଳରେ ରାସ୍ତାରେ ଯାଉଥିବା ଲୋକେ ଓ ଗୃହପାଳିତ ପଶୁ ଡ୍ରେନରେ ପଡି ଲହୁଲୁହାଣ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ସ୍ଥାନରେ ପ୍ରତିବର୍ଷ ଡ୍ରେନରୁ ଅଳିଆ ଆବର୍ଜନା ସଫା ନ ହେବାଯୋଗୁଁ ଲଗାଣ ବର୍ଷାରେ ସ୍ଥିତି ଅଣାୟତ ହେଉଛି। ଫଳରେ ଅଳିଆ ଆବର୍ଜନା ଓ ନର୍ଦ୍ଦମା ଜଳ ଡ୍ରେନରୁ ଉଛୁଳିବା ସହିତ ନିକଟରେ ଥିବା ଚାଷ ଜମିରେ ପ୍ରବେଶ କରୁଛି। ଏ ସମ୍ପର୍କରେ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ସୁଫଳ ମିଳୁନଥିବା କ୍ଷୋଭର ସହ କୁହନ୍ତି ସ୍ଥାନୀୟ ବାସିନ୍ଦା। ବିଶେଷକରି ସହରାଞ୍ଚଳ ସମସ୍ତ ଆବର୍ଜନା ମିଶ୍ରିତ ଜଳ ଉକ୍ତ ସ୍ଥାନରେ ଡ୍ରେନ ମାଧ୍ୟମରେ କୁସୁମି ନଦୀକୁ ନିଷ୍କାଷିତ କରାଯିବା ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ୫ ଶହ ମିଟର ଡ୍ରେନ ଆଜିପର୍ଯ୍ୟନ୍ତ ନିର୍ମାଣ କରାଯାଇପାରିନାହିଁ। ଅନ୍ୟପକ୍ଷରେ ଏନଏସି ପକ୍ଷରୁ ସହରାଞ୍ଚଳ ବିଭିନ୍ନ ଡ୍ରେନ ଗୁଡିକ ସଫେଇ କରାଯାଉଥିଲେ ହେଁ ଅଳିଆ ଓ ଆବର୍ଜନା ଗୁଡ଼ିକ ଡ୍ରେନ ସଂଲଗ୍ନ ରାସ୍ତାରେ ଜମା ହୋଇଥିବାରୁ ପୁଣିଥରେ ପୋତି ହୋଇପଡିବାର ଆଶଙ୍କା ସୃଷ୍ଟି ହୋଇଛି। ମୌସୁମୀ ବର୍ଷା ଆସିଥିବାରୁ ସହରାଞ୍ଚଳର ପ୍ରମୁଖ ନାଳ, ଡ୍ରେନ ମରାମତି ତଥା ପଙ୍କ ଉଦ୍ଧାର କରାନଗଲେ ଜଳ ନିଷ୍କାସନରେ ସାଙ୍ଘାତିକ ସମସ୍ୟା ଉପୁଜିବାର ଆଶଙ୍କା ସୃଷ୍ଟି ହେଲାଣି। ଖଣ୍ଡପଡା ଏନଏସି କତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ଜନପ୍ରତିନିଧି ମହଲରେ ଦାବି ହୋଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق