BREAKING
Loading...
:

ସେବାଶ୍ରମରେ କଳଙ୍କର ଛିଟା

 ସେବାଶ୍ରମରେ କଳଙ୍କର ଛିଟା l

କୋରାପୁଟ, -କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକ ଅଞ୍ଚଳର ଏକ ହଷ୍ଟେଲରେ ଜଣେ ୮ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ କାହାରିକୁ କିଛି ନ ଜଣାଇ ଘଟଣାର ୧୭ ଦିନ ପରେ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ। ପରିବାର ଲୋକେ ଛାତ୍ରୀଙ୍କ ସହ ବଳାତ୍କାର ହୋଇଥିବା ଜାଣି ବୁଧବାର ମାଛକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ଛାତ୍ରୀଙ୍କ ଡାକ୍ତରୀ ମାଇନା ଓ ବିଚାରପତିଙ୍କ ନିକଟରେ ବୟାନ ରେକର୍ଡ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାକୁ ଚପାଇବାକୁ ନେଇ ଜନ ଅସନ୍ତୋଷ ବଢ଼ିଛି।


ସୂଚନା ଅନୁଯାୟୀ, ଏପ୍ରିଲ ୧୩ ରାତିରେ କେହି ଜଣେ ଅପରିଚିତ ଯୁବକ ଛାତ୍ରୀ ନିବାସରେ ପଶି ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ୩୦ ତାରିଖରେ ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଦେଖି ପରିବାର ଲୋକେ ତାଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ତାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ମାଛକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ କେସ୍‌ ନଂ. ୩୩/୨୫ରେ ମାମଲା ରୁଜୁ କରିଛି। ଏସ୍‌ଆଇ ସୁକ୍ରା ମାଢ଼ି ତଦନ୍ତ ଆରମ୍ଭ କରିଛନ୍ତି।


ଗୁରୁବାର କୋରାପୁଟ ଏସ୍‌ପି ରୋହିତ ବର୍ମା, ନନ୍ଦପୁର ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ପୋଲିସ ବିଭାଗର ବୈଷୟିକ ଟିମ୍‌ ଛାତ୍ରୀ ନିବାସରେ ପହଞ୍ଚି ଘଟଣାର ତନାଘନା କରିଥିଲେ। ସ୍ଥାନୀୟ କେତେକ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତଙ୍କୁ ଗିରଫ ଓ ଛାତ୍ରୀନିବାସ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡ଼ିତାଙ୍କ ପରିବାର ଓ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ବିକ୍ଷୋଭ କରିଥିଲେ। ପ୍ଲା କାର୍ଡ ଧରି ଲମତାପୁଟ ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ଲମତାପୁଟ ଫାଣ୍ଡି ଅଧିକାରୀ ଶ୍ରୀକାନ୍ତ ଘୋଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ କହିବାକୁ ଏସ୍‌ଡିପିଓ ମଲ୍ଲିକ ମନା କରିଛନ୍ତି। ଏସ୍‌ପି ବର୍ମାଙ୍କ ନିର୍ଦ୍ଦେଶରେ ଶୁକ୍ରବାର ନନ୍ଦପୁର, ପାଡୁଆ, ବୈପାରୀଗୁଡ଼ା, ଜୟପୁର ଓ କୋରାପୁଟ ଜିଲା ମୁଖ୍ୟାଳୟ ପୋଲିସ ଛାତ୍ରୀ ନିବାସ ପରିସରରେ ତଦନ୍ତ କରିଛନ୍ତି।


ଏ ସମ୍ପର୍କରେ ଛାତ୍ରୀ ନିବାସ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅଭିଯୋଗ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡିଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ଏଡିଡବୁ୍ଲ୍ୟଓ ଅର୍ଜୁନ ନାୟକ ଛାତ୍ରୀ ନିବାସରେ ସ୍ଥିତି ଯାଞ୍ଚ, ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତରୀ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS