ପେଟ୍ରୋଲିଂ ବେଳେ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନକୁ ଜବତ କଲା କଣ୍ଟିଲୋ ପୋଲିସ। ଜଣେ ଅଟକ
ଗଣିଆ (ବ୍ୟୁରୋ): ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀଙ୍କୁ ଧରିବା ପାଇଁ ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଫାଣ୍ଡି ପୁଲିସ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ସ୍ଥାନୀୟ ପୁଲିସ ମାଫିଆକୁ ମାଡିବସିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାଶ ଗାଡି ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲେ। ତେବେ ହଟିଆପଲ୍ଲୀ ମଠ ନିକଟରେ ପିକଅପ ଭ୍ୟାନକୁ ଅଟକାଇବାରୁ ଚାଳକ ହଡବଡେଇ ଯାଇଥିଲେ। ଫଳରେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚାଳନା କରି ରାସ୍ତା କଡ଼ ଏକ ଗଛକୁ ଧକ୍କା ଦେଇ ଡେଇଁ ପଳାଇଥିଲା। ପରେ ଡ୍ରାଇଭର କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଥିଲେ। ତେବେ ଅନୁସନ୍ଧାନ କରିବାରୁ ପିକଅପ ଭ୍ୟାନରେ ମୋଟ ୮ଟି ବସ୍ତା ଯୋଗେ ପ୍ରାୟ ଦେଢ଼ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସହ ଡ୍ରାଇଭର କୁ ଅଟକ ରଖିଛି ସ୍ଥାନୀୟ ପୁଲିସ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ର ଠିକଣା ମିଳିନଥିବା ବେଳେ ଏନେଇ ନୟାଗଡ଼ ରେ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି। ଏମାନେ କନ୍ଧମାଳରୁ ଗଞ୍ଜେଇକୁ ବେଆଇନ ଭାବେ ଚାଲାଣ କରିବା ସହିତ ବିଭିନ୍ନ ସହରକୁ ବିକ୍ରି କରିବାକୁ ନେଉଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତ ତଥା ମାଷ୍ଟରମାଇଣ୍ଡ ବାବଦରେ ସ୍ଥାନୀୟ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ କିଛିମାସ ହେଲା ବାହାର ରାଜ୍ୟର ଗଞ୍ଜେଇ ମାଫିଆଙ୍କ ପାଇଁ ଏବେ ଖଣ୍ଡପଡ଼ା ପୁଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment