ଗଣିଆ ଲଙ୍କା ପୋଡ଼ି ଯାତ୍ରା, ନାଗଫାଶ ବନ୍ଧନ ଓ କୁମ୍ଭକର୍ଣ୍ଣ ବଧ ମଞ୍ଚସ୍ଥ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଚାଲିଥିବା ୪୩ ତମ ଲଙ୍କାପୋଡି ଯାତ୍ରାର ମୁଖ୍ୟ ମଞ୍ଚରେ ନାଗଫାଶ ବନ୍ଧନ ଓ କୁମ୍ଭକର୍ଣ୍ଣ ବଧ ନାଟକ ମଞ୍ଚସ୍ଥ ହୋଇଯାଇଛି । ବାନର ସେନା ଓ ଅସୁର ସେନାଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ରାବଣ ସେନାର ଅନେକ ଅସୁର ମୃତ୍ୟୁ ବରଣ କରିବା ପରେ ରାବଣର ପୁତ୍ର ଇନ୍ଦ୍ରଜିତ ରାମ ଲକ୍ଷ୍ମଣଙ୍କୁ ନାଗଫାଶ ବନ୍ଧନରେ ବାନ୍ଧି ଦେଇଥିଲା । ବାନର ସେନାଙ୍କ ମଧ୍ୟରେ ଭାଳେଣି ପଡିଯାଇଥିବା ବେଳେ ବିଭୀଷଣଙ୍କ ପରାମର୍ଶରେ ଶ୍ରୀରାମ ଗରୁଡଙ୍କୁ ସ୍ମରଣ କରିଥିଲେ । ଗରୁଡ଼ ପହଞ୍ଚିବା ପରେ ଶ୍ରୀରାମ, ଲକ୍ଷ୍ମଣ ନାଗଫାଶ ବନ୍ଧନରୁ ମୂକ୍ତ ହୋଇଥିଲେ । ଏହା ପରେ କୁମ୍ଭକର୍ଣ୍ଣ ଯୁଦ୍ଧ କ୍ଷେତ୍ରକୁ ଆସିଥିଲା । ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ ପରେ ପ୍ରଭୁ ଶ୍ରୀରାମଙ୍କ ତୀରରେ କୁମ୍ଭକର୍ଣ୍ଣ ବଧ ହୋଇଥିଲେ । ଏହି ନାଟକ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ରାମପ୍ରେମୀ ଏକତ୍ରିତ ହୋଇଥିବା ଜଣାପଡିଛି । କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସୂଚନାଯୋଗ୍ୟ ଯେ ଆସନ୍ତା ୨୯ ତାରିଖ ମଙ୍ଗଳବାର ଦିନ ଗଣିଆ ଲଙ୍କା ପୋଡ଼ି ଯାତ୍ରା ବା ମୁଖ୍ୟ ଉତ୍ସବ ରାବଣ ବଧ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି । ଯାତ୍ରାର ମୁଖ୍ୟ ଆକର୍ଷଣ ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ୍ୟ ନିର୍ମିତ ରାବଣ, ଆତସବାଜି ପ୍ରତିଯୋଗିତା,ପଲିଶ୍ରୀ ମେଳା ତଥା ୪ ଦିନ ଧରି ଓଡ଼ିଶାର ନାମୀଦାମୀ କଣ୍ଠଶିଳ୍ପୀଙ୍କୁ ନେଇ ମେଲୋଡି ହେବ ବୋଲି ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁ ଜଣାଇଛନ୍ତି ।
ମଣିଭଦ୍ରା ଖବର, ଗଣିଆ
إرسال تعليق