ଭାଣିଜୀକୁ ୧୩ ଲକ୍ଷର ଚୂନ; ଠକ ମାମୁ ଗିରଫ
କଟକ (ମାନସ କୁମାର ସାହୁ) ରେଳବାଇରେ ଚାକିରି କରାଇଦେବା ନାଁରେ ଭାଣିଜୀଠାରୁ ୧୩ ଲକ୍ଷ ଟଙ୍କା ଠକି ନେଇଥିବା ମାମୁକୁ ଗିରଫ କରିଛି ବଡ଼ଗଡ଼଼ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ଦେୱାନ ପାଟଣାର ଅଜୟ ନାୟକ (୬୦)। ପୁଲିସ ସୂଚନା ଅନୁସାରେ, ବଡ଼ଗଡ଼଼ ଓମ୍ ସାଇ ନଗରର ରହୁଥିବା ସୁଭଦ୍ରା ସାହୁଙ୍କ ମାମୁ ଅଜୟ ତାଙ୍କୁ ରେଳ ବିଭାଗରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଥିପାଇଁ ୧୩ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ। ନିଜ ମାମୁ ଏପରି କରୁଥିବାରୁ ତାଙ୍କ କଥାକୁ ସୁଭଦ୍ରା ସହଜରେ ବିଶ୍ୱାସ କରି ନେଇଥିଲେ। ସୁଭଦ୍ରା ଓ ତାଙ୍କ ସ୍ୱାମୀ ବିକାଶ ଚନ୍ଦ୍ର ସାହୁ ଟଙ୍କା ଦେବାକୁ ସ୍ଥିର କଲେ। ୨୦୨୩ ମାର୍ଚ୍ଚ ମାସରୁ ପତି-ପତ୍ନୀ ମିଶି ଅଜୟ ଦେଇଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ସୁଭଦ୍ରାଙ୍କର ରେଲ୍ୱେ ଚାକିରି ପାଇଁ ବିଭିନ୍ନ ପର୍ଯ୍ୟାୟରେ ମୋଟ୍ ୧୩ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଟଙ୍କା ନେବା ପରେ ଠକ ମାମୁ ଅଜୟ ଆଉ ଧରାଛୁଅାଁ ଦେଇନଥିଲେ। ନା ଚାକିରି କରାଇଥିଲେ ନା ଟଙ୍କା ଫେରାଇଥିଲେ। ଓଲଟି ଆଜିକାଲି କହି ଦିନ ଗଡ଼଼ାଇ ଚାଲିଥିଲେ। ସବୁ ଦିଗରୁ ନିରାଶ ହେବାପରେ ବିକାଶ ୨୦୨୩ ଅକ୍ଟୋବର ୩ ତାରିଖରେ ବଡ଼ଗଡ଼଼ ଥାନାରେ ଏତଲା ଦେଇଥିଲେ। ଅଭିଯୋଗର ଦେଢ଼ ବର୍ଷ ପରେ ଶନିବାର ଅଭିଯୁକ୍ତ ଅଜୟଙ୍କୁ ଗିରଫ କରିଛି। ଏକାଧିକ ବ୍ୟାଙ୍କର ଟଙ୍କା ଦେଣନେଣ ତଥ୍ୟ ସହିତ ଅର୍ଥନୈତିକ ପ୍ରମାଣ ଜବତ କରାଯାଇଛି।
ମଣିଭଦ୍ରା ଖବର, କଟକ
إرسال تعليق