ଭୁବନେଶ୍ବର (ମଣିଭଦ୍ରା ଖବର) ସମସ୍ତଙ୍କୁ ପର କରି ଚାଲିଗଲେ ଦଣ୍ଡା ବାଳୁଙ୍ଗା । ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସେ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେଠାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଅଭିନେତ୍ରୀ ପତ୍ନୀ ଅପରାଜିତା, ପୁଅ ଅଭିନେତା ବାବୁଶାନ ଓ ବୋହୂ ତୃପ୍ତି ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ଓଲିଉଡରେ ଶୋକର ଛାୟା ଖେଳାଇ ଦେଇଛି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 'ରାମାୟଣ’, ‘ଫୁଲଚନ୍ଦନ’, ‘ଝିଅଟି ସୀତା ପରି’, ‘ସହରୀ ବାଘ’, ‘ପୂଜାଫୁଲ’, ‘ସୁହାଗ ସିନ୍ଦୂର’, ‘ଜୋର୍ ଯାର ମୂଲକ ତା’ର’, ‘ଏଇ ଆମ ସଂସାର’, ‘କପାଳ ଲିଖନ’, ‘ସମୟ ବଡ଼ ବଳବାନ’, ‘ଦଣ୍ଡା ବାଳୁଙ୍ଗା’ ଭଳି ଏକାଧିକ ସୁପରହିଟ୍ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ୧୯୯୯ରେ ମହାନ୍ତିଙ୍କୁ ଜୟଦେବ ପୁରସ୍କାର ମିଳିଥିଲା। ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ତୋ ବିନୁ ଅନ୍ୟଗତି ନାହିଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ। ସେହିପରି ଉଲ୍ଲେଖନୀୟ ଅଭିନୟ ନିମନ୍ତେ ସିନେ କ୍ରିଟିକ୍ ଆସୋସିଏସନ, ଚିତ୍ରପୁରୀ, ବାଣୀଚିତ୍ର, ଚଳଚ୍ଚିତ୍ର ଜଗତ ସମ୍ମାନ ପ୍ରଭୃତି ପାଇଥିଲେ। ତାଙ୍କର ନିଖୁଣ ଏବଂ ମେଳାପି ସ୍ବଭାବ ଯୋଗୁଁ ସେ ଚଳଚ୍ଚିତ୍ର ଜଗତରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ଅଭିନୟ ସହ ସେ ମଧ୍ୟ ରାଜନୀତିରେ ସାମିଲ ହୋଇଥିଲେ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment