ମିଲରଙ୍କ ମନମାନି,କଟନିଛଟନିକୁ ନେଇ ବିବାଦ,ଧାନ ମଣ୍ଡିରେ ପଡ଼ି ରହିଛି ଧାନ ବସ୍ତା
ବ୍ୟୁରୋ (ମଣିଭଦ୍ରା ଖବର) ଜାନୁଆରୀ ମାସ ସରିବାକୁ ବସିଲାଣି କିନ୍ତୁ ଚାଷୀ ଧାନ ବିକ୍ରି କରି ପାରୁନାହିଁ । ମିଲର ଏଫ୍ଏକ୍ୟୁ ମାନର ଧାନ ନେବାକୁ ଅଡ଼ି ବସିବା ସହିତ ମନମାନି କରୁଛନ୍ତି । ଏପରିକି ଏଫ୍ଏକ୍ୟୁ ମାନର ଧାନ ନହେଲେ କ୍ଵିଣ୍ଟାଲ ପିଛା ୧୦ କେଜିରୁ ଅଧିକ ଧାନ କାଟିବାକୁ ମିଲର ଅଡ଼ି ବସୁଥିବା ଚାଷୀ ଅଭିଯୋଗ କରିଛନ୍ତିି । ଫଳରେ ମଣ୍ଡିରେ ଧାନ ଗଦା ହୋଇ ରହିଥିବା ବେଳେ ମିଲର ଏବଂ ପ୍ରଶାସନ ଅଚିନ୍ତା ନିଦ୍ରାରେ ରହିଥିବା ଦେଖିବାକୁ ମିଳିଛି । ଗଣିଆ ବ୍ଳକର ଗଣିଆ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ସୋମବାର ଧାନ ମଣ୍ଡିକୁ ଧାନ ନେଇ ଚାଷୀ ଆସିଥିଲେ। ତେବେ ମିଲରଙ୍କ ମନମାନି ଯୋଗୁଁ ମଣ୍ଡିରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ଚାଷୀ ଶୀତ କାକରରେ ଜଗି ରହିଛନ୍ତି । ଚାଷୀଙ୍କ ଟୋକନ ଅବଧି ସରିବାକୁ ବସିଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ । ମିଲର ନିଜ ଜିଦରେ ଅଟଳ ରହିଥିବା ବେଳେ ଯୋଗାଣ ବିଭାଗ ନିଦାବିଷ୍ଣୁ ସାଜିଛି । କଟନିଛଟନିକୁ ଚାଷୀ ବିରୋଧ କରୁଥିବାରୁ ଏହାର ଫାଇଦା ଉଠାଇବାକୁ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇ ଧାନ କିଣି ନେଉଛନ୍ତି । ମଣ୍ଡିରେ ଏଭଳି ଧାନ ପଡି ରହିବା ଅପେକ୍ଷା ଚାଷୀମାନେ କମ୍ ଦାମରେ ନିଜର ବର୍ଷ ଯାକର ପୁଞ୍ଜିକୁ ଶାଗମାଛ ଦରରେ ଦଲାଲଙ୍କ ହାତରେ ଟେକି ଦେଉଛନ୍ତି । ଏଭଳି ଅବସ୍ଥା ସାରା ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ କ'ଣ ପାଇଁ ଚୁପ୍ ବସିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଖୁବଶୀଘ୍ର ଆନ୍ଦୋଳନ ହେବ ବୋଲି କୃଷକ ନେତା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର
Post a Comment