୧-୦ ଗୋଲରେ ବିଜୟ ଲାଭ କରି ଫୁଲବାଣୀ ଫାଇନାଲରେ
ଗଣିଆ ୨୯-୦୧-( ମଣିଭଦ୍ରା ଖବର)ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଅନଗୁଳ ବନାମ ଫୁଲବାଣୀ । ଉଭୟ ଦଳର ଖେଳାଳୀମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ଫଳରେ ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ । ଦ୍ଵିତୀୟାର୍ଦ୍ଧରେ ଫୁଲବାଣୀ ଦଳ ଅନଗୁଳ କୁ ଗୋଟିଏ ଗୋଲ ଦେଇଥିଲେ ।
ଫଳରେ ଫୁଲବାଣୀ ଦଳ ୦୧-୦୦ ଗୋଲରେ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ମ୍ୟାଚ ରେଫରି ଭାବରେ ଦିଲ୍ଲୀପ କୁମାର ରାଉତ ଯୋଗ ଦେଇଥିବା ବେଳେ ସହଯୋଗୀ ରେଫରି ଭାବେ ସୁଜିତ କୁମାର ପାତ୍ର ଓ ଶିବ ଦେହୁରୀ ଏବଂ ଚତୁର୍ଥ ରେଫରୀ ଭାବେ ଶୁଭ୍ରଜିତ ଦଲଛତ୍ରା ଯୋଗ ଦେଇ ଥିଲେ । ଖେଳ ଆରମ୍ଭରେ ଏବଂ ମଧ୍ୟାନ୍ତରରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ।
ଆଜିର ମ୍ୟାଚରେ ଅତିଥି ଭାବେ ଗଣିଆ ବ୍ଲକ ର ଆଠ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମହାବୀର ସାଂସ୍କୃତିକ ପରିଷଦ ତରଫରୁ ଅତିଥି ମାନଙ୍କୁ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ପଡିଆ ମଧ୍ୟକୁ ନିମନ୍ତ୍ରଣ କରାଯାଇଥିଲା । ହଜାର ହଜାର ଦର୍ଶକ ଆଜିର ଖେଳକୁ ଉପଭୋଗ କରିଥିଲେ । ଆସନ୍ତାକାଲିର ଫାଇନାଲ ଖେଳ ବୌଦ୍ଧ ବନାମ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବର କ୍ରିଡ଼ା ସମ୍ପାଦକ ଫକୀର ମୋହନ ଡାକୁଆ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment