ନାହିଁ ନାହିଁରେ ଗଣିଆ ବ୍ଳକ,୩ଟି ଦାୟିତ୍ବରେ ଜଣେ ଅଧିକାରୀ
ଗଣିଆ (ମଣିଭଦ୍ରା ଖବର) ନାହିଁ ନାହିଁରେ ଚାଲିଛି ଗଣିଆ ବ୍ଳକ । ଜଣେ ଅଧିକାରୀଙ୍କ ହାତରେ ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଫଳରେ ଉକ୍ତ ଅଧିକାରୀଙ୍କ ଉପରେ ପଡୁଛି ଅତିରିକ୍ତ କାର୍ଯ୍ୟଭାର । ଗଣିଆ ବ୍ଳକକୁ ଭଗବାନ ହିଁ ଭରସା କହିଲେ ଅତ୍ୟୁକ୍ତି ହେବ ନାହିଁ । ଗଣିଆ ବ୍ଳକରେ ନାହାନ୍ତି ବିଡ଼ିଓ, ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଏବଂ ସବ୍ ରେଜିଷ୍ଟ୍ରାର ମଧ୍ୟ ନାହାନ୍ତି । ଏହି ୩ଟି ଯାକ ଦାୟିତ୍ବ ଏବେ ତହସିଲଦାର ପ୍ରିତିବାଳା ରଣାଙ୍କ ଉପରେ ନ୍ୟସ୍ତ କରାଯାଇଛି । ବ୍ଳକରେ ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକଙ୍କ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ବିଡ଼ିଓ ଯୋଗଦାନ କରି ନଥିବାରୁ ତହସିଲଦାର ଭାରପ୍ରାପ୍ତ ବିଡ଼ିଓ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କ ଅନେକ କ୍ଷୟକ୍ଷତି ଘଟିଥିବା ବେଳେ ତହସିଲଦାର ସେହି କାର୍ଯ୍ୟ କରିବେ ନା ବ୍ଳକରେ ରହି ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବେ ? ତହସିଲ ପରିସରରେ ଦୀର୍ଘ ଦିନ ହେବ ସବ୍ ରେଜିଷ୍ଟ୍ରାର ଏବଂ ଅତିରିକ୍ତ ତହସିଲଦାର ପଦବୀ ମଧ୍ୟ ଖାଲି ପଡ଼ିଛି । ବିଡିଓଙ୍କ ବଦଳରେ ନୂତନ ବିଡ଼ିଓ କାର୍ଯ୍ୟରେ ଯୋଗଦାନ କରିବା ନିତାନ୍ତ ଆବଶ୍ୟକ ହୋଇଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେଉ ନାହାନ୍ତି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜଣେ ଅଧିକାରୀ ତିନି ତିନୋଟି ଦାୟିତ୍ବ ସମ୍ଭାଳିବା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଉଛି । ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖାଲିଥିବା ପଦବୀ ଗୁଡିକୁ ପୂରଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق