*ତୀବ୍ର ଗତିରେ ଚାଲିଛି 'ପୁଷ୍ପା ୨'ର ଆଡଭାନ୍ସ ବୁକିଂ, ପ୍ରଥମ ଦିନରେ ଭାଙ୍ଗିବ ସବୁ ରେକର୍ଡ*
କଟକ (ମାନସ କୁମାର ସାହୁ) ଅଲ୍ଲୁ ଅର୍ଜୁନ ଓ ଫହାଦ ଫସିଲଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା-୨: ଦ ରୁଲ' ଡିସେମ୍ବର ୫ରେ ସିନେମା ଘରକୁ ଆସୁଛି। ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହାର ଆଡଭାନ୍ସ ବୁକିଂ ନଭେମ୍ବର ୩୦ ତାରିଖ ରାତି ୧୨ଟାରୁ ଆରମ୍ଭ ହୋଇ ଯାଇଛି। ଆଉ ଆଡଭାନ୍ସ ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା ନ ହେଉଣୁ ୧୦ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଲାଣି।
ଏମିତିରେ ଟ୍ରେଡ୍ ଆନାଲିଷ୍ଟ ପୂର୍ବାନୁମାନ କରିଛନ୍ତି ଯେ, ଫିଲ୍ମ ପ୍ରଥମ ଦିନରେ ଆୟର ସମସ୍ତ ରେକର୍ଡ ଭାଙ୍ଗି ଦେବ।
ସାକନିଲ୍କର ରିପୋର୍ଟ ମୁତାବକ ସୋମବାର ରାତି ୧୦ଟା ସୁଦ୍ଧା ଫିଲ୍ମର ମୋଟ୍ ୧୦ ଲକ୍ଷ ୧୧ ହଜାର ୨୪୭ ଟିକେଟ୍ ଆଡଭାନ୍ସ ବୁକିଂ ହୋଇ ସାରିଛି। ଆଡଭାନ୍ସ ବୁକିଂ ଜରିଆରେ ଫିଲ୍ମ ୩୧.୬୧ କୋଟି ଟଙ୍କାର ଆୟ କରି ସାରିଛି। ଫିଲ୍ମ ରିଲିଜକୁ ଆଉ ତିନି ଦିନ ସମୟ ରହିଛି। ତେଣୁ ଅନୁମାନ କରାଯାଉଛି ଯେ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଫିଲ୍ମର ୨୦ ଲକ୍ଷରୁ ଅଧିକ ଟିକେଟ୍ ଆଡଭାନ୍ସ ବୁକିଂ ହୋଇଯିବ। ଆଉ ଆଡଭାନ୍ସ ବୁକିଂରୁ ଫିଲ୍ମ ୫୦ କୋଟିରୁ ଅଧିକ ବ୍ୟବସାୟ କରି ନେବ।
‘ପୁଷ୍ପା-୨: ଦ ରୁଲ‘ ଗୁରୁବାର ସିନେମାଘରେ ରିଲିଜ ହେବ। ଅର୍ଥାତ ‘ପୁଷ୍ପା-୨: ଦ ରୁଲ‘ ପାଇଁ ଓ୍ଵିକେଣ୍ଡ ଚାରି ଦିନ(ଗୁରୁବାର, ଶୁକ୍ରବାର, ଶନିବାର, ରବିବାର) ରହିବ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଏହି ଫିଲ୍ମ ପ୍ରଥମ ଦିନ ୩୦୦ କୋଟିରୁ ଅଧିକ ଆୟ କରିପାରେ। ସାକନିଲ୍କ ଡଟ୍ କମର ରିପୋର୍ଟ ଅନୁସାରେ ଏହି ଫିଲ୍ମ ଆନ୍ଧ୍ର ପ୍ରଦେଶ/ତେଲେଙ୍ଗାନାରୁ ୧୦୫ କୋଟି, କର୍ଣ୍ଣାଟକରୁ ୨୦ କୋଟି, ତାମିଲନାଡୁରୁ ୧୫ କୋଟି, କେରଳରୁ ୮ କୋଟି ଓ ଭାରତର ଅନ୍ୟ ରାଜ୍ୟରୁ ୮୫ କୋଟିର କାରବାର କରିପାରେ। ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ହିସାବରେ ଫିଲ୍ମ ପ୍ରଥମ ଦିନ ୨୫୦ରୁ ୨୭୫ କୋଟି ଟଙ୍କାର ବକ୍ସ ଅଫିସ କଲେକ୍ସନ କରିପାରେ।
ମଣିଭଦ୍ରା ଖବର,କଟକ
إرسال تعليق