BREAKING
Loading...
:

ବଡମ୍ବା ବିଜେଡି ଗଡ ଭୁଶୁଡିଲା । ବିଧାୟକ ହାରିଥିଲେ, ଏବେ ବ୍ଲକ ଅଧ୍ୟକ୍ଷ ଶଙ୍ଖ ଛାଡି ଧରିଲେ ପଦ୍ମ

 ବଡମ୍ବା ବିଜେଡି ଗଡ ଭୁଶୁଡିଲା । ବିଧାୟକ ହାରିଥିଲେ, ଏବେ ବ୍ଲକ ଅଧ୍ୟକ୍ଷ ଶଙ୍ଖ ଛାଡି ଧରିଲେ ପଦ୍ମ

ଭୁବନେଶ୍ଵର (ମଣିଭଦ୍ରା ଖବର) ତୃଣମୂଳ ସ୍ତରରୁ ଶକ୍ତିଶାଳୀ ହେଉଛି ବିଜେପି। ଦୁର୍ବଳ ହେଉଛି ବିଜେଡି। ନିର୍ବାଚନ ପରେ ରାଜ୍ୟରେ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ବିଭିନ୍ନ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରର ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବା ଦେଖାଯାଉଛି। ଏହି କ୍ରମରେ ଆଜି ବଡମ୍ବା ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି।


ଲଗାତାର ଭାବେ ବିଜେଡି ନେତା ବିଜେପିରେ ମିଶିବା ଚର୍ଚ୍ଚାର ବିଷୟ ପାଲଟିଛି।

ତୃଣମୂଳ ସ୍ତରରେ ଭୁଶୁଡୁଛି ବିଜେଡି

ପଞ୍ଚାୟତ ନିର୍ବାଚନ ପାଇଁ ଶକ୍ତି ଗୋଟାଉଛି ବିଜେପି

ବିଜେପି ସରକାରକୁ ଆସିବା ପରେ ପଞ୍ଚାୟତସ୍ତରର ନେତା ଏବେ ବିଜେପି ମୁଁହାଁ ହୋଇଛନ୍ତି। ନିକଟରେ ବରୀ ପୂର୍ବତନ ବିଧାୟିକା ସୁନନ୍ଦାଙ୍କ ସମେତ ୬ଜିଲ୍ଲାର ତୃଣମୂଳ ସ୍ତରର ନେତା ବିଜେପିରେ ସାମିଲ ହୋଇଥିଲେ। ଆଉ ଏବେ ବଡମ୍ବାରେ ଶଙ୍ଖ ଗଡ଼ ଭାଙ୍ଗିଛି। ବିଜେଡ଼ି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦେବୀ ମିଶ୍ରଙ୍କୁ ବଡ଼ ଝଟକା ଲାଗିଛି । ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ମାନେ ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ରଘୁପତି ଓ ତାଙ୍କ ସମର୍ଥକ। ଏହାସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି କଟକ ଜିଲ୍ଲା ମାଣିଆବନ୍ଧ ୩୧ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ନୟନା ସାହୁ। ତେବେ ଚାପରେ ଆସି ନେତା ଓ କର୍ମୀ ଦଳ ପରିବର୍ତ୍ତନ କରୁଛନ୍ତି ବୋଲି କହିଛନ୍ତି ଦେବୀ ମିଶ୍ର ।

କଣ ହେବ ବିଜେଡି ଭବିଷ୍ୟତ?

ବିଜେପି ମୁହାଁ ପଞ୍ଚାୟତ ଓ ଜିଲ୍ଲା ସ୍ତର ନେତା

ଗତ ୬ମାସ ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବିଜେପିରେ ମିଶିଛନ୍ତି। ଆଉ ଏହି ମିଶ୍ରଣ ଆଗାମୀ ୨୦୨୭ ମସିହା ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ଗୋଟିଏ ପଟେ ବିଜେପି ନିଜ ସଂଗଠନକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡୁଥିବା ବେଳେ ବିଜେଡି ଛାଡି ବିଜେପିରେ ମିଶୁଥିବା ନେତା ବିଜେପିକୁ ବଳ ଯୋଗାଉଛନ୍ତି। ବିଜେଡି ମଧ୍ୟ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଆଗାମୀ ପଞ୍ଚାୟତ ନିର୍ବାଚନ ଫଳାଫଳ ହିଁ ଦର୍ଶାଇବ ଯେ କାହାର ଲୋକପ୍ରିୟତା ବଢିଛି ଓ କାହାର କମିଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS