BREAKING
Loading...
:

ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସେବା ଆରମ୍ଭ କଲା ଟିପିଏସ୍ଓଡିଏଲ୍

 ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସେବା ଆରମ୍ଭ କଲା ଟିପିଏସ୍ଓଡିଏଲ୍ 



ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଅନୁଭୂତି ଯୋଗାଇ ଦେବା ଲକ୍ଷ୍ୟରେ କାର୍ଯ୍ୟକ୍ଷମ


ବ୍ରହ୍ମପୁର(ମଣିଭଦ୍ରା ଖବର) ଗ୍ରାହକ ସେବାକୁ ସୁଦୃଢ଼ ଓ ବିଜୁଳି ବିଚ୍ଛିନ୍ନ ସମ୍ପର୍କିତ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସହଜ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୂଆ କରି ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସେବା ଆରମ୍ଭ ହୋଇଛି । ଯାହା ଫଳରେ ଉପଭୋକ୍ତାଙ୍କୁ ବିଜୁଳି ସେବା ସମ୍ପର୍କିତ ସୂଚନା ପୂର୍ବାପେକ୍ଷା ସହଜରେ ଉପଲବ୍ଧ ହୋଇପାରୁଛି । ଏହି ମିସ୍ଡ କଲ୍ ସେବା ଜରିଆରେ ଉପଭୋକ୍ତାଙ୍କୁ ତୁରନ୍ତ ଓ ସ୍ୱୟଂଚାଳିତ ପ୍ରତିକ୍ରିୟା ମିଳୁଛି । ଉପଭୋକ୍ତାଙ୍କୁ ଅନାବଶ୍ୟକ ଭାବେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁନାହିଁ ।

ଟିପିଏସ୍ଓଡିଏଲର ଏହି ମିସ୍ଡକଲ୍ ସେବା ଚଳିତ ମାସରେ ଆରମ୍ଭ ହୋଇଛି । ବିଜୁଳି ସେବା ବିଚ୍ଛିନ୍ନ ହୋଇଥିଲେ, ଉପଭୋକ୍ତାମାନେ ୯୭୭୭୭୭୪୬୯୯ ନମ୍ୱରରେ ମିସ୍ଡକଲ୍ କରି ସେବା ସମ୍ପର୍କିତ ସମସ୍ତ ବିବରଣୀ ପାଇବା ସହ ଅଭିଯୋଗ ପଞ୍ଜିକରଣ କରାଇପାରିବେ । ଏହି ନମ୍ୱରରେ କଲ୍ କରିବା ପରେ କିଛି ସେକେଣ୍ଡ ମଧ୍ୟରେ ସିଷ୍ଟମ୍ ଆପେ ଆପେ କଲ୍ ବିଚ୍ଛିନ୍ନ କରିନିଏ । ଏହାପରେ ଟିପିଏସ୍ଓଡିଏଲ୍ ପକ୍ଷରୁ ପଞ୍ଜିକୃତ ଉପଭୋକ୍ତାଙ୍କ ନମ୍ୱରକୁ ଏକ ମେସେଜ୍ ଆସିଥାଏ । ଉକ୍ତ ମେସେଜରେ ବିଜୁଳି ବିଚ୍ଛିନ୍ନ ସମ୍ୱନ୍ଧିତ କାରଣ ଓ ପୁନରୁଦ୍ଧାରର ଏକ ଆନୁମାନିକ ସମୟ ଉଲ୍ଲେଖ ରହିଥାଏ । ସେହିଭଳି ବ୍ୟକ୍ତିଗତ ଅଭିଯୋଗ କ୍ଷେତ୍ରରେ ଏକ କନଫରମେସନ୍ ମେସେଜ ଓ ଅଭିଯୋଗ ପଞ୍ଜିକରଣ ନମ୍ୱର ଆସିଥାଏ । ଅନ୍ୟପକ୍ଷରେ, ସମାନ ମୋବାଇଲ ସହ ଲିଙ୍କ୍ ହୋଇଥିବା ଏକାଧିକ ଆକାଉଣ୍ଟଧାରୀ ଉପଭୋକ୍ତା ମାଇଁ ଟାଟା ପାଓ୍ୱାର ଆପ୍ କିମ୍ୱା କମ୍ପାନୀର ଟୋଲ୍ ଫ୍ରି ନମ୍ୱରରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ । ସେହିଭଳି ଅଣପଞ୍ଜିକୃତ ମୋବାଇଲ୍ ନମ୍ୱରଧାରୀ ଉପଭୋକ୍ତାମାନେ ଟିପିଏସ୍ଓଡିଏଲ୍ ଆପ୍ କିମ୍ୱା ଟୋଲ୍ ଫ୍ରି ନମ୍ୱରରେ କଲ୍ କରି ନମ୍ୱରକୁ ପଞ୍ଜିକୃତ କରାଇପାରିବେ । 

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କମ୍ପାନୀର ଏହି ମିସ୍ଡ କଲ୍ ଯୋଗେ ଅଭିଯୋଗ ଦାଖଲ ବ୍ୟବସ୍ଥା ଉପଭୋକ୍ତା ଯୋଗାଯୋଗ ଓ ସନ୍ତୁଷ୍ଟି କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ । ମିସ୍ଡ କଲ୍ ଯୋଗେ ଉପଭୋକ୍ତାଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ କରି ଅଧିକ ସହଜ ଓ ସୁବିଧାଜନକ ସେବା କ୍ଷେତ୍ର ପ୍ରସ୍ତୁତ କରିଛୁ । ଆଗାମୀ ଦିନରେ ମଧ୍ୟ କମ୍ପାନୀ ଉପଭୋକ୍ତା ସଂପ୍ରଦାୟଙ୍କ ସୁବିଧା ପାଇଁ ଏହି ଭଳି ଅଭିନବ ଉଦ୍ୟମ ଜାରି ରଖିବାକୁ ପ୍ରତିବଦ୍ଧ ।“

ଟିପିଏସ୍ଓଡିଏଲ୍ ନିଜର ସମସ୍ତ ଯୋଗାଯୋଗ ଚ୍ୟାନେଲର ବ୍ୟବହାର କରି ଉପଭୋକ୍ତାଙ୍କ ନିକଟରେ ନିଜ ଉପସ୍ଥିତିକୁ ବଢ଼ାଉଛି । ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସମେତ ଉପଭୋକ୍ତାମାନେ ମାଇଁ ଟାଟାପାୱାର ଆପ୍ ଓ ଟୋଲ୍ ଫ୍ରିନମ୍ବର ୧୯୧୨ ଏବଂ୧୮୦୦-୩୪୫-୬୭୯୭ର ବ୍ୟବହାର ଜାରି ରଖିପାରିବେ। 

ମିସ୍ଡ କଲ୍ ସେବା ଉପଭୋକ୍ତାଙ୍କ ଅଭିଯୋଗ ସମ୍ପର୍କିତ ସୂଚନା ପ୍ରଦାନ କ୍ଷେତ୍ରରେ ଏକ ସହଜ ଓ ସମୟ ଉପଯୋଗୀ ସମାଧାନ ଭାବେ କାର୍ଯ୍ୟ କରେ । କଲ୍ ସେଣ୍ଟର ଉପରେ କାର୍ଯ୍ୟଭାର କମାଇବା ସହ ଜଟିଳ ସମସ୍ୟାର ସମାଧାନ ନିମନ୍ତେ କଲ୍ ସେଣ୍ଟର କର୍ମଚାରୀମାନଙ୍କୁ ଅଧିକ ସମୟ ଯୋଗାଇଥାଏ । ଉପଭୋକ୍ତାମାନେ ଯେକୌଣସି ସମୟରେ ଏହି ମିସ୍ଡ କଲ୍ ସେବାର ସୁବିଧା ଉଠାଇ ପାରିବେ । ଟିପିଏସ୍ଓଡିଏଲ୍ ଏହି ଭଳି ଅଭିନବ ଉଦ୍ୟମ ଜରିଆରେ ନିଜର ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ରହିଛି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS