ଗଣିଆରେ ଦାଦନ ଖଟିବାକୁ ଯାଇ ଦୁଇ ଯୁବକ ମୃତ,ଆଉ କେତେ ମଲେ ଚେତିବେ ସରକାର ?
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ଦୁଇ ଯୁବକ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ ଭାଙ୍ଗି ପଡିଛନ୍ତି ପରିବାର । ପରିବାରର ପେଟକୁ ଦାନା ଗଣ୍ଡିଏ ଦେବାକୁ ରାଜ୍ୟ ବାହାରକୁ ଚାଲି ଯାଇଥିବା ପୁଅଟିର ମୃତ୍ୟୁ ଖବର ଶୁଣି ହତବାକ୍ ହୋଇଯାଇଛନ୍ତି ସାଙ୍ଗ ସାଥି ଏବଂ ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ବ୍ଳକ ରାସଙ୍ଗ ପଞ୍ଚାୟତ କାଦୁଆ ଏବଂ ଗୋଛାବାରୀ ଗ୍ରାମରେ । ଗତ ଜୁଲାଇ ମାସରେ ବିହାର ପାଟଣାରେ ଦାଦନ ଖଟିବାକୁ ଯାଇଥିଲେ କାଦୁଆ ଗ୍ରାମର ବିଜୟ ବେହେରା ଏବଂ ଗୋଛାବାରୀ ଗ୍ରାମର ମିଲୁ ବେହେରା । ଉଭୟ ସେଠାରେ ଏକ ଏଲ୍-ଆଣ୍ଡ-ଟି କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଉଭୟ ଯୁବକ ଗରୀବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଥିଲେ ମଧ୍ୟ ବେକାର ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ? ପ୍ରକୃତରେ ସରକାରୀ ଯୋଜନା ଗୁଡିକ ବେକାର ଯୁବକ ଯୁବତୀ ମାନେ ପାଉଛନ୍ତି ନା ଏହାର ଫାଇଦା ଅନ୍ୟ କେହି ଉଠାଉଛନ୍ତି । ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାର ଚୁପ୍ ବସି ରହିଛନ୍ତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment