ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶ
ଋଷିକୂଲ୍ୟା ନଦୀର ପାଣି ଲୋକଙ୍କ ପାଇଁ ନା କମ୍ପାନୀ ପାଇଁ ପ୍ରଶ୍ନ କରିଛନ୍ତି ଲୋକ
ସୋରଡ଼ା( ମଣିଭଦ୍ରା ଖବର ) ଗାଜଲବାଡ଼ି ନିକଟସ୍ତ ବାଗଦେବି ପ୍ରାଙ୍ଗଣରେ ଚାଷୀ ମୂଳିଆ ସଂଘ ଜିଲ୍ଲା ଆବାହକ ନିରାକାର ନାୟକଙ୍କ ଆବାହକତ୍ୱରେ ରୁଷିକୂଲ୍ୟା ନଦୀ ବଞ୍ଚାଅ ଓ ପିପଳପଙ୍କା ଡ୍ୟାମ ବାତିଲ କରିବା ତଥା ଜମି, ଜଙ୍ଗଲ ଅଧିକାର ପାଇଁ ଆଲୋଚନା ସଭା ଅନୁଷ୍ଠିତ ହେଇଯାଇଛି। ସର୍ବସମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ,ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସୋରଡ଼ା ତହସିଲଦାରଙ୍କ ଜରିଆରେ ପିପଳପଙ୍କା ଡ୍ୟାମ ବାତିଲ ଓ ଋଷିକୂଲ୍ୟା ନଦୀର ପାଣି କମ୍ପାନୀକୁ ନଦେଇ ଚାଷୀଙ୍କୁ ଦେବା ପାଇଁ ସୋରଡ଼ାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଦାବିପତ୍ର ପ୍ରଦାନ କରାଯିବ।
ସୂଚନା ଯୋଗ୍ୟ ଯେ,ଗୋପାଳପୁରସ୍ଥିତ ଟାଟା କମ୍ପାନୀର ପ୍ରକଳ୍ପକୁ ପାଣି ଯୋଗାଇବା ପାଇଁ ନବୀନ ସରକାର ଋଷିକୂଲ୍ୟା ନଦୀକୁ କମ୍ପାନୀ ହାତକୁ ଟେକି ଦେବାପାଇଁ ସୋରଡ଼ା ବ୍ଲକର ପିପଳପଙ୍କା ଠାରେ ଏକ ଡ୍ୟାମ୍ ନିର୍ମାଣ ପାଇଁ ଘୋଷଣା ହୋଇଥିଲା l ଏହି ପ୍ରକଳ୍ପ ନିର୍ମାଣ ହେଲେ ଏକର ଏକର ଜଙ୍ଗଲ ଜମି ଓ ବହୁ ସଂଖ୍ୟକ ଚାଷୀ ଓ ଆଦିବାସୀ ପରିବାର ବିସ୍ଥାପିତ ହେବା ସହିତ ସବୁଜ ବନାନୀ ଓ ଉର୍ବର ଚାଷ ଜମି ଓ ଜଙ୍ଗଲ ସବୁ ଦିନ ପାଇଁ ଡ୍ୟାମ ତଳେ ବୁଡ଼ି ଯିବ। ସୋରଡ଼ା ସମେତ ଧରାକୋଟ, ସାନଖେମୁଣ୍ଡି ,ଆସ୍କା,ଶେରଗଡ଼,ପୁରୁଷୋତ୍ତମପୁର ,ଛତ୍ରପୁର,
ଗୋପାଳପୁର ଅଂଚଳର ଯେଉଁ ଲକ୍ଷ ଲକ୍ଷ ଚାଷୀ ବର୍ଷ ତମାମ ଋଷିକୂଲ୍ୟା ନଦୀରୁ ନିଜ ଚାଷ ଜମିକୁ ପାଣି ନେଇ ଚାଷବାସ କରୁଥିଲେ ସେମାନେ ସେଥିରୁ ବଂଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଚାଷୀଙ୍କ ସମେତ ନଦୀ କୂଳ ଅବବାହିକାର ସମସ୍ତ ଅଂଚଳର ଚାଷ ଜମିରେ ଅକାଳ ମରୁଡି ପଡିବ ଓ ଚାଷୀଙ୍କ ଧନ ଜୀବନ ଦୁର୍ବିସହ ହୋଇପଡିବ ବୋଲି ସମାବେଶରେ ମତ ପ୍ରକାଶ ପାଇଛି l ବର୍ତମାନ ସୋରଡ଼ା ସମେତ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ଭାରତୀୟ ବିରଳ ମୂର୍ତ୍ତିକା,ଗୋଳାବନ୍ଧ ଆର୍ମି କ୍ୟାଣ୍ଟିନ, ପୁରୋଷୋତ୍ତମ ପୁର, ଗଞ୍ଜାମ, ହୂମ୍ମା ଆଦି ଅଞ୍ଚଳବାସୀ ପାନୀୟ ଜଳ ଓ ଦୈନନ୍ଦିନ ବ୍ୟବହାର ପାଇଁ ଏକମାତ୍ର ରୁଷିକୂଲ୍ୟା ନଦୀ ଜଳ ଉପରେ ନିର୍ଭରଶୀଳ ଅଟନ୍ତି l କିନ୍ତୁ ଟାଟା କମ୍ପାନୀର ଆବଶ୍ୟକତା ମେଣ୍ଟାଇବାପାଇଁ ହେଉଥିବା ପିପଳପଙ୍କା ପ୍ରକଳ୍ପ ଦ୍ୱାରା ଜନଗଣ ପିଇବା ଓ ସାରବାର କରିବା ନିମନ୍ତେ ପାଣି ଟୋପାଏ ପାଇବେ ନାହିଁ। ପାଣି ଅଭାବରେ ଡହଳ ବିକଳ ହେବା ସୁନିଶ୍ଚିତ l ଏହା ସହ କାଳ କାଳରୁ ପ୍ରକୃତିଦତ୍ତ ଏହି ଚିର ଶ୍ରୋତା ନଦୀ ଅଳ୍ପ ଦିନରେ ଶୁଖିଯିବ l ଏଥିରେ ଜୀବଜନ୍ତୁ,ବନ୍ୟଜନ୍ତୁ,ଗାଈ ଗୋରୁ,ବଣ ଜଙ୍ଗଲ ସମେତ ସମସ୍ତ ଜୀବନ ଗଭୀର ଭାବେ ପ୍ରଭାବିତ ହେବ l ପ୍ରକାଶ ଯେ,ରାଜ୍ୟ ସରକାରଙ୍କ ଏହି କମ୍ପାନୀ ପ୍ରୀତିରେ ସମାନ ପରିମାଣରେ କେନ୍ଦ୍ର ସରକାର ମଧ୍ୟ ଦାୟୀ ଅଟନ୍ତି l ପରିବେଶ ମଞ୍ଜୁରୀ, ଜଙ୍ଗଲ ସୁରକ୍ଷା ଆଦି ପାଇଁ ଥିବା ବିଭିନ୍ନ ପ୍ରକାର ଆଇନଗତ କଟକଣାକୁ ଭାଙ୍ଗି ଟାଟା କମ୍ପାନୀ ହାତକୁ ଋଷିକୂଲ୍ୟା ନଦୀକୁ ଟେକିଦେବାପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ହୀନ ଉଦ୍ୟମ ଆରମ୍ଭ କରିଛନ୍ତି, ବର୍ତମାନ ରାଜ୍ୟରେ ନୁଆଁ ବିଜେପି ସରକାର ଶାସନରେ ଆସିଛନ୍ତି l ଋଷିକୂଲ୍ୟା ନଦୀ କେବଳ ଗୋଟିଏ ନଦୀ ନୁହଁ, ଏହା ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଏକ ଜୀବନ ରେଖା ଅଟେ l ଜୀବନରେଖା ଋଷିକୂଲ୍ୟା ନଦୀର ସୁରକ୍ଷା ସହ ଜିଲ୍ଲାର ଜୀବନ ଜୀବିକା , ବଣ ଜଙ୍ଗଲ ,ଜୀବଜନ୍ତୁ, ପ୍ରକୃତି ଓ ପରିବେଶର ରକ୍ଷା ପାଇଁ ସମଗ୍ର ଗଞ୍ଜାମ ଜିଲ୍ଲା ବାସୀ ଏକ ହେବାର ନିହାତି ପ୍ରୟୋଜନ ରହିଛି । ଏହାକୁ ରୋକିବାପାଇଁ ଜାତି ଧର୍ମ,ଦଳ,ମତ ନିର୍ବିଶେଷରେ ସମସ୍ତ ଜନ ସାଧାରଣ ଏକତ୍ର ସ୍ୱର ଉତ୍ତୋଳନ କରିବାକୁ ପଡିବ l ଏହି ଆଲୋଚନା ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲକ,ଆବାହକ ଅବନୀ ଗୟା,ଚାଷୀ ମୁଲିଆ ସଂଘ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ଅନୁବନ୍ଧିତ ଜିଲ୍ଲା ଆବାହକ ନିରକାର ନାୟକ, ସୁଧୀର କୁମାର ସାହୁ, କୈଳାସ ମଳିକ ସମେତ ଗାଜଲବାଡ଼ି ଓ ଗୋଛା ପଞ୍ଚାୟତର ବହୁ ଜନସାଧାରଣ ସମାବେଶରେ ଯୋଗଦେଇଥିଲେ।
ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ
Post a Comment