ରାଜପଥରେ ଜମିରହୁଛି ବର୍ଷା ଜଳ, ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି,ସ୍ଥାଣୁ ପାଲଟିଛି ପୂର୍ତ୍ତ ବିଭାଗ
କଣ୍ଟିଲୋ, ୨୭/୦୮ (ମଣିଭଦ୍ରା ଖବର) : ରାସ୍ତା ମରାମତି ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ମାତ୍ର ରାସ୍ତା ଅବସ୍ଥା ସୁଧୁରିବା ନାଁ ଧରୁନି। ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୪୮ନଂ ରାଜ୍ୟ ରାଜପଥ, ଗଣିଆ ପୂର୍ତ୍ତ ବିଭାଗ ଅଧୀନ ରାସ୍ତାର ବଡବାଣପୁର ଗ୍ରାମ ଛକ ଠାରୁ ପ୍ରାୟ ୧୦୦ ମିଟର ରାସ୍ତାରେ ବର୍ଷା ତଥା ଗ୍ରାମ ରୁ ନିର୍ଗତ ନର୍ଦମା ପାଣି ଜମିରହୁଛି। ଫଳରେ ଜନସାଧାରଣ ଯା' ଆସ ସମୟ ରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାଛଡା ରାସ୍ତା ରେ ଡ୍ରେନ ପୋତିହୋଇଯାଇଥିବା ବେଳେ ରାସ୍ତା ରେ ଫୁଟପାଥ ନଥିବା ରୁ ସଂକୁଚିତ ରାସ୍ତା ରେ ଯାତାୟତ ସମୟରେ ଅସୁବିଧା ସୃଷ୍ଟି ହେଉଛି। ଭୁବନେଶ୍ୱର, ତଥା ନୟାଗଡ଼ କୁ ଉକ୍ତ ରାସ୍ତା ସଂଯୋଗ କରୁଥିବାରୁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ଭାବେ ପରିଗଣିତ। ମାସ ମାସ ଧରି ଉକ୍ତ ରାସ୍ତା ରେ ପାଣି ଜମି ରହୁଥିବା ଏହାର ପ୍ରତିକାର ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଉନି। ନର୍ଦ୍ଦମା ପାଣି ଜମି ରହିବା ଫଳରେ ସେଠାରେ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ସୃଷ୍ଟି କରିଛି । କେବଳ ବାଣପୁର ନୁହଁ ଗଣିଆ ଛାମୁଣ୍ଡିଆ ରାସ୍ତାର ଗାନ୍ଧୀ ମଣ୍ଡପ ଠାରୁ ଇଣ୍ଡିଆନ ବ୍ୟାଙ୍କ ପର୍ଯ୍ୟନ୍ତ ଡ୍ରେନ ପୋତି ହୋଇ ସାମାନ୍ୟ ବର୍ଷାରେ ରାସ୍ତାରେ ନର୍ଦ୍ଦମା ପାଣି ସୁଅ ଛୁଟୁଛି । ରାସ୍ତା ଉପରେ କୁଢ କୁଢ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡ଼ିରହୁଛି । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଗଲେ କନିଷ୍ଠ ଯନ୍ତ୍ରୀଙ୍କର ଦେଖା ମିଳୁନି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦୁଇ ଦୁଇଟି ବ୍ଳକ ଦାୟିତ୍ୱରେ ଥିବାରୁ ତାଙ୍କର ନିଦ ଭାଙ୍ଗୁନି । କେତେବେଳେ ଯନ୍ତ୍ରୀ ମହୋଦୟ କେଉଁ ବ୍ଳକକୁ ଆସୁଛନ୍ତି ସେ କଥା ଜଣାପଡୁନାହି । ତେବେ ଗଣିଆ ପୂର୍ତ୍ତ ବିଭାଗରେ ଜଣେ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ରହିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଜଣେ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق