ଜିଲ୍ଲା ମାନ୍ୟତା ଦାବି ନେଇ କୃଷକ ସଂଘର୍ଷ ଅଭିଯାନ ତରଫ ରୁ ୧୬ କିମି ପଦଯାତ୍ରା,ଆଗମୀ ଦିନରେ ବ୍ୟାପକ ଆନ୍ଦୋଳନ ଚେତାବନୀ।
ଟିଟିଲାଗଡ଼ (ମଣିଭଦ୍ରା ଖବର)ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସୁଦୁର ମହଦା ତ୍ରିବେଣୀ ଘାଟରୁ ଟିଟିଲାଗଡ଼ ସହର ପର୍ଯ୍ୟନ୍ତ କୃଷକ ସଂଘର୍ଷ ଅଭିଯାନ ପକ୍ଷରୁ ଦୀର୍ଘ ୧୬କିମି ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିସାରିଥିବା ବେଳେ ଟିଟିଲାଗଡ଼ ଜିଲ୍ଲା ମାନ୍ୟତା ପାଇଁ ଗ୍ରାମାଞ୍ଚଳର ଚାଷୀ, ଶ୍ରମିକ ଓ ଯୁବବର୍ଗ ପଦଯାତ୍ରାରେ ସହସ୍ରାଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି । କୃଷକ ସଂଘର୍ଷ ଅଭିଯାନ ପକ୍ଷରୁ ଆବାହକ ବାଲକୃଷ୍ଣ ଷାଣ୍ଢଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଦଳ ବିଭିନ୍ନ ଗ୍ରାମ ଦେଇ ଆସିବାବେଳେ ଭବ୍ୟ ସମ୍ବର୍ଦ୍ଧନା ସହ ଲୋକେ ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା । ସକାଳ ୯ଟାରୁ ବାହାରି ଅପରାହ୍ନ ପ୍ରାୟ ୨ଟାରେ ପଦଯାତ୍ରୀ ଦଳ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ବେଳକୁ ଭିଡ଼ ଅସମ୍ଭାଳ ହୋଇ ପଡ଼ିଥିଲା । ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ତଥା ବାର ଆସୋସିଏସନ ସଭାପତି ସଞ୍ଜୟ ବେହେରା, ବାର ଉପସଭାପତି ପଙ୍କଜ ପାଢ଼ୀ, ତୁଲସି ସାହୁ ଓ ବିରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରୀ ଦଳଙ୍କୁ ସ୍ୱାଗତ କରିଥିଲେ । ଟିଟିଲାଗଡ଼ବାସୀଙ୍କ ଦୀର୍ଘ ୩୦ ବର୍ଷର ଜିଲ୍ଲା ଦାବୀକୁ ଅଣଦେଖା କରାଯାଉଥିବା ନେଇ ଅନୁଷ୍ଠିତ ବିକ୍ଷୋଭ ସଭାରେ ଚାଷୀ ନେତା ଶ୍ରୀ ଷାଣ୍ଢ ଏବଂ ଅନ୍ୟମାନେ ଗର୍ଜିଥିଲେ । ଦାଦନଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ଅଞ୍ଚଳର ବିକାଶ ପାଇଁ ସରକାର ତୁରନ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲିି ଚେତାବନୀ ଦିଆଯାଇଛି । ଏହାସହ କିଛି ଦାବୀ ନେଇ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାନକି ଜାନୀ, ରୂପେଶ୍ୱରୀ ରତେଇ, ତୁଲସି ଭୋଇ, ତରୁ ମାଝୀ, ଲୁଚନି ଭୋଇ, ଚମ୍ପା ମାଝୀ, ମଦନା ନାଗ, ପୂର୍ଣ୍ଣମୀ ଥାପା, ମଧୁ ମହାନନ୍ଦ, ମନୋଜ ଦାଶ ଓ ପୁରୁଷୋତ୍ତମ ଜାନୀ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।
ବଲାଙ୍ଗୀର ସନ୍ତୋଷ କୁମାର ନାୟକ
إرسال تعليق