BREAKING
Loading...
:

ପୋଷ୍ଟ୍ ମାଷ୍ଟର୍ ଙ୍କ କଳାକାରନାମା ; ନୀରିହ ଗାଆଁ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

 ପୋଷ୍ଟ୍ ମାଷ୍ଟର୍ ଙ୍କ କଳାକାରନାମା  ; ନୀରିହ ଗାଆଁ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ 



ବେଲଗୁଣ୍ଠା (ମଣିଭଦ୍ରା ଖବର) ଜନ ସାଧାରଣ ବିଶେଷ କରି ଗ୍ରାମାଞ୍ଚଳ ଲୋକେ ନିଜର କଷ୍ଟ ଅର୍ଜିତ ଧନରୁ ଭବିଷ୍ୟତ ପାଇଁ ବିଭିନ୍ନ ସଞ୍ଚୟ ଯୋଜନାରେ ଡ଼ାକ ଘରେ ସଞ୍ଚୟ କରିବାକୁ ନିରାପଦ ମନେ କରିଥାନ୍ତି I କିନ୍ତୁ ବାଡ଼ ଫସଲ ଖାଇବା ଭଳି ଯ଼ଦି ଡାକ କର୍ମଚାରୀ ନୀରିହ ଜନତାଙ୍କ ଟଙ୍କାକୁ ଆତ୍ମସାତ୍ କରନ୍ତି ତେବେ ଲୋକେ ବିଶ୍ୱାସ କରିବେ କାହାକୁ I ଏହିପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ I ଏଠାରେ ଥିବା ଡ଼ାକଘରର ପୋଷ୍ଟ୍ ମାଷ୍ଟର୍ ରାତାରାତି ବଡ଼ ଲୋକ ହେବାର ସ୍ଵପ୍ନରେ ବିଭିନ୍ନ ଯୋଜନା ମାଧ୍ୟମରେ ଜମା କରିଦେବା ନାମରେ ଲୋକଙ୍କ ଠାରୁ ଟଙ୍କା ନେଇ ଆତ୍ମସାତ୍ କରିଥିବା ଅଭିଯୋଗ ଆସିଛି I ସୂଚନା ପ୍ରକାରେ ଆସିକା ନିକଟସ୍ଥ ବରଗାଁ ଅଞ୍ଚଳର ରାଜେଶ୍ ବେହେରା ନାମକ ବ୍ୟକ୍ତି ପାଲକଷଣ୍ଢା ଡାକ ଘରେ ପୋଷ୍ଟ୍ ମାଷ୍ଟର୍ ଭାବେ କାର୍ଯ୍ୟ କରନ୍ତି I ସେ ଲୋକଙ୍କୁ ଡ଼ାକ ବିଭାଗର ବିଭିନ୍ନ୍ ଜନହିତକାରୀ ଯୋଜନା ସମ୍ପର୍କରେ ପ୍ରବର୍ତ୍ତାଇ ସେମାନଙ୍କ ନାମରେ ଖାତା ଖୋଲିବା ସହିତ ଟଙ୍କା ଜମା କରିବାକୁ କହୁଥିଲେ I ଏହା ସହ ଗ୍ରାମର ବହୁ ବିଧବା ମହିଳା ଏବଂ ବିକଳାଙ୍ଗ ବ୍ୟକ୍ତି ମଧ୍ୟ ନିଜର ଭତ୍ତା ଟଙ୍କାକୁ ଜମା କରିଦେବା ପାଇଁ ଦେଉଥିଲେ I କିନ୍ତୁ ପୋଷ୍ଟ ମାଷ୍ଟର୍ ଜଣଙ୍କ ଡ଼ାକରେ ଟଙ୍କା ଜମା ନକରି କେବଳ ଲୋକଙ୍କ ଖାତାରେ ଟଙ୍କା ଜମାହେବା ଲେଖିବା ସହିତ ସ୍ୱାକ୍ଷର ଏବଂ ସିଲ୍ ପକାଇ ଦେଉଥିଲେ I ଏପରିକି ବହୁ ହିତାଧିକାରୀଙ୍କ ଜମାଖାତା ହିତାଧୀକାରୀଙ୍କୁ ନଦେଇ ନିଜ ପାଖରେ ରଖୁଥିଲେ I ଏନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିବାରୁ ସେମାନେ ଗତ ତିନିମାସ ଧରି ଭଞ୍ଜନଗର ଉପଖଣ୍ଡ ଡ଼ାକଘରେ  ଅଭିଯୋଗ କରି ଆସୁଥିଲେ I ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ଭଞ୍ଜନଗର ଉପଖଣ୍ଡ ଡ଼ାକଘରୁ ଏଏସପି ସ୍ୱାଗତିକା ପାଳ ପାଲକଷଣ୍ଢା ଡାକଘରେ ପହଞ୍ଚି ବହୁ ଜମାକାରୀଙ୍କ ଖାତା ଗୁଡ଼ିକୁ ଯାଞ୍ଚ୍ କରିଥିଲେ I ଯାଞ୍ଚ୍ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୋଷ୍ଟ୍ ମାଷ୍ଟର୍ ଙ୍କ ବହୁ କଳାକାରନାମା ଦେଖିବାକୁ ମିଳିଥିଲା I ଆଜିର ଯାଞ୍ଚ୍ ରୁ ପୋଷ୍ଟ୍ ମାଷ୍ଟର୍ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଛି I ଲୋକଙ୍କ ପିଏଲଆଇ,ସୁକନ୍ୟା ଯୋଜନା ସମେତ ବିଭିନ୍ନ ସ୍ଵଳ୍ପ ସଞ୍ଚୟ ଯୋଜନା ଖାତାରେ ପୋଷ୍ଟ୍ ମାଷ୍ଟର୍ ଙ୍କ ଘୋଟାଲା ଦେଖିବାକୁ ମିଳିଥିଲା I ଜଣେ ବ୍ୟକ୍ତି୍ଙ୍କ ଖାତାରେ 60000 ଟଙ୍କା ଜମା ଥିବା ଲେଖା ଯାଇଥିବା ବେଳେ ତାଙ୍କ ନାମରେ ମାତ୍ର 1032 ଟଙ୍କା ଜମାଥିବା ଜଣାପଡ଼ିଛି I ସେହିପରି ଜଣଙ୍କର 78000 ଟଙ୍କାରୁ 62000 ଟଙ୍କା ଜମାଥିବା ବେଳେ ବିଭିନ୍ନ ବିଧବା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଟଙ୍କା ମଧ୍ୟ ଜମା ନକରି ପୋଷ୍ଟ୍ ମାଷ୍ଟର ହଡପ୍ କରି ନେଇଥିବା ଅଭିଯୋଗ ହୋଇଛି I ସେହିପରି ଜକଲା ସାହିର କୋଠ ନାମରେ ତିନି ଲକ୍ଷ ଟଙ୍କାର ହିସାବରେ ମଧ୍ଯ ଅନିୟମିତତା ଦେଖିବାକୁ ମିଳିଛି I ଆଜି ଏଏସପି ସ୍ୱାଗତିକା ପାଳ 60 ରୁ ଊର୍ଦ୍ଧ୍ବ ଜମାଖାତା ନିଜ ହେପାଜତ କୁ ନେଇଥିବା ବେଳେ ପୋଷ୍ଟମାଷ୍ଟର ଶ୍ରୀ ବେହେରାଙ୍କ ପାଖରେ ମଧ୍ୟ ବହୁ ଖାତା ଥିବା ସାଧାରଣ ଲୋକେ ପ୍ରକାଶ କରିଛନ୍ତି I ଏନେଇ ଆଜି ପାଲକଷଣ୍ଢା ଡ଼ାକଘର ସମ୍ମୁଖରେ ଶହ ଶହ ଲୋକ ଜମା ହୋଇ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାପାଇଁ ଦାବି କରିଥିଲେ I ଏଏସପି ସ୍ୱାଗତିକା ପାଳ ଲୋକଙ୍କୁ ବୁଝାସୁଝା କରିବା ସହିତ ଜମାକାରୀଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିଥିଲେ ଏବଂ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ପ୍ରତିଶୃ୍ତି ଦେଇଥିଲେ I 


ବେଲଗୁଣ୍ଠା ରୁ ଜଗନ୍ନାଥ ନାୟକ ଙ୍କ ରିପୋର୍ଟ ମଣିଭଦ୍ର ଖବର

Post a Comment

أحدث أقدم
Header ADS