୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ସଭା ଅନୁଷ୍ଠିତ
ଗଣିଆ ୨୦/୧୦(ମଣିଭଦ୍ରା ଖବର) ଗଣିଆ ବ୍ଲକର ରାସଙ୍ଗ ଛାମୁଣ୍ଡିଆ ଏବଂ ଆଡକଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ସଭା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କର ରୋଗୀ କଲ୍ୟାଣ ସମିତି ଏବେ ଜନ ଆରୋଗ୍ୟ ସମିତି ନାମରେ ନାମିତ କରାଯାଇଥିବା ବେଳେ ଏହାର ସ୍ଥାୟୀ ଅଧ୍ୟକ୍ଷ ଭାବେ ଜିଲ୍ଲା ପରିଷଦ ସଭ୍ୟ କାର୍ଯ୍ୟ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ୩ଟି ଯାକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୃଥକ ପୃଥକ ଭାବେ ଏହି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ଛାମୁଣ୍ଡିଆ ଡାକ୍ତର ବିଦୁଲତା ଦାଶ,ରାସଙ୍ଗ ଡାକ୍ତର ସାଇପ୍ରସାଦ ମହାପାତ୍ର, ଆଡକଟା ଡାକ୍ତର ସୁନିଲ କୁମାର ଦଳାଇ,ବିପିଏମ୍ ପ୍ରଭାକର ପଲ୍ଲେଇଙ୍କ ସମେତ ଜନ କଲ୍ୟାଣ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଉପରୋକ୍ତ ୩ଟି ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ଏହାର ଭିତ୍ତିଭୂମିକୁ ସୁଦୃଢ କରିବାକୁ ଚେଷ୍ଟା କରିବାକୁ ଜିଲ୍ଲା ପରିଷଦ ମତ ଦେଇଥିଲେ । ରାସଙ୍ଗ ଏବଂ ଛାମୁଣ୍ଡିଆରେ ଜଣେ ଜଣେ ଏମବିବିଏସ ଡାକ୍ତର ନିଯୁକ୍ତି କରିବାକୁ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ । ଡ଼ାକ୍ତରଖାନାରେ ଷ୍ଟାଫ୍ କ୍ୱାର୍ଟର ନଥିବାରୁ ଅନେକ ଅସୁବିଧା ଦେଖାଦେଉଥିବାରୁ ଏ ସମ୍ପର୍କରେ ବିଡ଼ିଓ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق