BREAKING
Loading...
:

ଗୁଣିଗାରେଡ଼ି ଓ ତନ୍ତ୍ରବିଦ୍ୟା ନାଁରେ ଠକେଇ ଅଭିଯୋଗ; ନକଲି ତାନ୍ତ୍ରିକ ଗିରଫ, ବିଭିନ୍ନ ସରଜାମ ଜବତ l

 ଗୁଣିଗାରେଡ଼ି ଓ ତନ୍ତ୍ରବିଦ୍ୟା ନାଁରେ ଠକେଇ ଅଭିଯୋଗ;  ନକଲି ତାନ୍ତ୍ରିକ  ଗିରଫ, ବିଭିନ୍ନ ସରଜାମ ଜବତ l



ବେଲଗୁଣ୍ଠା ,  ଗୁଣିଗାରେଡ଼ି, ଯାଦୁବିଦ୍ୟା ଓ ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କୁ ଠକେଇ କରିବା ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ଗାଙ୍ଗପୁର ପୁଲିସ ଡି. ସିଂପୁର  ଗ୍ରାମର କୃଷ୍ଣ ମୁନି (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l  ଗିରଫ ପରେ  ତାଙ୍କୁ ଆସିକା ଜେଏମ୍‌ଏଫ୍‌ସି ଅଦାଲତରେ ହାଜର କରାଯାଇଛି।ପୁଲିସ ସୂଚନା ଅନୁଯାୟୀ, ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ ଅର୍ଦ୍ଧନିର୍ମିତ ମାଆ କାଳୀ ମନ୍ଦିରରେ କୃଷ୍ଣ ଦୀର୍ଘଦିନ ଧରି ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଓ ତାନ୍ତ୍ରିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। ମନ୍ତ୍ର, କବଚ ଓ ତନ୍ତ୍ରବିଦ୍ୟା ଦ୍ୱାରା ବିଭିନ୍ନ ରୋଗ ଭଲ କରିବା ଏବଂ ସମସ୍ୟାର ସମାଧାନ କରିବାର ଦାବି କରି ସେ ଗଞ୍ଜାମ ସମେତ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରର ଲୋକଙ୍କୁ ଆକୃଷ୍ଟ କରୁଥିବା ପୁଲିସ କହିଛି। ଇନ୍‌ଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ଏହାର ପ୍ରଚାର କରାଯାଉଥିବା ଜଣାପଡ଼ିଛି।

ଏପରିକି ତାନ୍ତ୍ରିକ କାର୍ଯ୍ୟକ୍ରମ ସମୟରେ କିଛି କୌଶଳ ବା ତରଳ ପଦାର୍ଥ ବ୍ୟବହାର କରି ଲୋକଙ୍କୁ ଅଚେତ କରାଯାଉଥିବା ଏବଂ ରୋଗ ଭଲ କରିବା ଆଳରେ ନିରୀହ ଲୋକଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ରହିଛି। ଗତ ମାସରେ ମନ୍ଦିରରେ ଆୟୋଜିତ ହୋମଯଜ୍ଞରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଜଣ ଯୋଗ ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଭଞ୍ଜନଗର ଏସ ଡି ପି ଓ ଡା ଦୀପକ କୁମାର ମିଶ୍ରଙ୍କ ନିର୍ଦେଶରେ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ସୂଚନା ଆଧାରରେ ପୁଲିସ ଉକ୍ତ ମନ୍ଦିରରେ ଚଢ଼ାଉ କରି ମାଟି ଧୂପଦାନି, ପାଞ୍ଚଟି କଉଡ଼ି, ନାଲି ସୂତା, ବିଭିନ୍ନ ରଙ୍ଗର ମୁରୁଜ, ନାଲି ସିନ୍ଦୂର, ଷ୍ଟିଲ୍ ଛୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ତାଙ୍କ ସାନଭାଇ ଶିବରାମ ମୁନିଙ୍କ ନାମ ମଧ୍ୟ ରହିଥିବା ବେଳେ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି l ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ଏନେଇ ଗାଙ୍ଗପୁର ଥାନାରେ ୫୫୫/୨୦୨୬ ନମ୍ବରରେ ମାମଲା ରୁଜୁ କରାଯାଇ ଆଇନର ବିଭିନ୍ନ ଧାରାରେ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କ ପୂର୍ବରୁ ମଧ୍ୟ ଏକ ଅପରାଧିକ ମାମଲା ଥିବା ପୁଲିସ ପକ୍ଷରୁ ଦର୍ଶାଯାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS