ବରିଷ୍ଠ ସାମ୍ବାଦିକ ଗୌରାଙ୍ଗ ବେହେରାଙ୍କ ପରଲୋକ
ବାଙ୍କୀ , (ମାନସ ରଞ୍ଜନ ସାହୁ ): ବାଙ୍କୀ ଗଣମାଧ୍ୟମ ଜଗତର ଜଣେ ପରିଚିତ ଓ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମାଜ’ର ବାଙ୍କୀ ପ୍ରତିନିଧି ଗୌରାଙ୍ଗ ଚରଣ ବେହେରାଙ୍କର ହୃଦ୍ଘାତରେ ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବାଙ୍କୀର ସାମ୍ବାଦିକ ମହଲ ସମେତ ସମଗ୍ର ଉପଖଣ୍ଡରେ ଗଭୀର ଶୋକ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଥିଲା। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କଟକ ବଡ଼ ଡାକ୍ତରଖାନାକୁ ଯାଇ ତାଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କଠାରୁ ବୁଝିଥିଲେ। ତାଙ୍କ ବିୟୋଗ ଖବର ପାଇ ବିଧାୟକ ଶେଷ ଦର୍ଶନ କରିବା ସହ ମରଶରୀରକୁ ଜନ୍ମମାଟି ବାଙ୍କୀ ବ୍ଲକ୍ ଅନ୍ତର୍ଗତ କରବର ଗ୍ରାମକୁ ନେବାର ବ୍ୟବସ୍ଥା କରିଥିଲେ।
ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶହ ଶହ ଲୋକ ଏକତ୍ରିତ ହୋଇ ତାଙ୍କର ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ବାଙ୍କୀ ପ୍ରେସ୍କ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସମ୍ପାଦକ ସୁବାସ ଚନ୍ଦ୍ର ପାଢ଼ୀ, ସହସମ୍ପାଦକ ବିଭୂପ୍ରସାଦ ସାମଲଙ୍କ ସମେତ ସାମ୍ବାଦିକ କ୍ଷେତ୍ରବାସୀ ଦାସ, ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଗୌତମ ମିଶ୍ର, ଅନନ୍ତ ପଟ୍ଟନାୟକ, କାହ୍ନୁଚରଣ ବେହେରା, ଅନନ୍ତ ରଣା, ଅଶୋକ ରଣା, ସୁବ୍ରତ ନାୟକ, ପ୍ରଦୀପ ଜେନା, ମାନସ ରଞ୍ଜନ ସାହୁ, ପୂର୍ଣ୍ଣେନ୍ଦୁ ନାୟକ,ଶୁଶାନ୍ତ କୁମାର ନାୟକ, ଶୁଭେନ୍ଦୁ ମହାପାତ୍ରଓ ଶ୍ରବଣ ସେଠୀ ପ୍ରମୁଖ ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେହିପରି ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ବାଙ୍କୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ଡମପଡ଼ା ବ୍ଲକ୍ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ସାଂସଦଙ୍କ ପ୍ରତିନିଧି ସରୋଜ ମତଗଜ ସିଂହଙ୍କ ସମେତ ବାବୁଲି ଦଳେଇ, ନିରଞ୍ଜନ ବସନ୍ତରାୟ, ଏ.ବି.ଓ. ପ୍ରଫୁଲ୍ଲ ବେହେରା, କାର୍ତ୍ତିକ ବେହେରା, ରମାକାନ୍ତ ଭଞ୍ଜ, ସଦାଶିବ ଦାସ, ମନୋଜ ରାଉତ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଜ୍ୟେଷ୍ଠପୁତ୍ର ଜ୍ଞାନରଞ୍ଜନ ବେହେରା ମୁଖାଗ୍ନି ପ୍ରଦାନ କରିଥିଲେ। ଏହି ସମୟରେ କନିଷ୍ଠ ପୁତ୍ର ଜ୍ୟୋତିରଞ୍ଜନ ବେହେରା, ଧର୍ମପତ୍ନୀ ଶାନ୍ତିଲତା ବେହେରାଙ୍କ ସମେତ ବନ୍ଧୁବାନ୍ଧବ ଓ ପରିବାରବର୍ଗ ଉପସ୍ଥିତ ଥିଲେ।
ଜଣେ ନିଷ୍ଠାପର ସାମ୍ବାଦିକ ଭାବେ ଗୌରାଙ୍ଗ ବେହେରାଙ୍କ ବିୟୋଗ ବାଙ୍କୀର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ସମଗ୍ର ବାଙ୍କୀ ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି।
ମଣିଭଦ୍ରା ଖବର, ବାଙ୍କୀ


Post a Comment