ଗଞ୍ଜାମରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଅଞ୍ଚଳରେ ସତର୍କତା ଓ ତ୍ୱରିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ
ଜିଲ୍ଲାରେ ଅଦ୍ୟାବଧି ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ଥାନାନ୍ତରଣ
ଛତ୍ରପୁର, ୧୯/୧୧/୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର (ଡିଇଓସି)ରେ ଆୟୋଜିତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଅଞ୍ଚଳରେ ସତର୍କତା, ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବର୍ତ୍ତମାନର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ।
ପରିସ୍ଥିତିକୁ ହାଲୁକା ଭାବେ ନ ନେଇ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳରେ ଲୋକଙ୍କ ସହ ରହି ପ୍ରସ୍ତୁତି ଓ ସ୍ଥାନାନ୍ତରଣ କାର୍ଯ୍ୟର ତଦାରଖ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଗୋପାଳପୁର, ଛତ୍ରପୁର ଓ ଚିକିଟି ସମେତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସମୁଦ୍ରତଟବର୍ତ୍ତୀ ଓ ଅନ୍ୟ ବିପଦପ୍ରବଣ ଅଞ୍ଚଳରେ କୌଣସି ବ୍ୟକ୍ତି ଯେପରି ଅସୁରକ୍ଷିତ ନ ରହନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିବା ସହ ସ୍ଥାନାନ୍ତରଣ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଥିଲେ।
ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରଖିବା ସହ ସ୍ଥାନାନ୍ତରିତ ଲୋକଙ୍କୁ ସମ୍ମାନର ସହ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଚିକିଟି ବ୍ଲକ୍ର ସମସ୍ତ ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତଥ୍ୟ ନେଇଥିଲେ। ରାମୟାପାଟଣା ସମେତ ଅନ୍ୟ ସମୁଦ୍ରତଟବର୍ତ୍ତୀ ଓ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ରଙ୍ଗେଇଲୁଣ୍ଡା ବ୍ଲକ୍ର ନୂଆ ଗୋଲାବନ୍ଧ ଅଞ୍ଚଳର ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଛତ୍ରପୁର ବ୍ଲକ୍ରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ଥାନାନ୍ତରଣ, କାଳିପଲ୍ଲୀ ପଞ୍ଚାୟତର ସ୍ଥିତି ଏବଂ ବରଙ୍ଗ, ବଡ଼ମାଧପୁର ଓ ପୋଟଲାମପୁର ଅଞ୍ଚଳର ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଆବଶ୍ୟକ ସ୍ଥଳେ ଅଧିକ ଚୁଡ଼ା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଗଞ୍ଜାମ ବ୍ଲକ୍ର ୧୭ଟି ଗ୍ରାମରୁ ଲୋକଙ୍କ ସ୍ଥାନାନ୍ତରଣ, ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଆଶ୍ରୟସ୍ଥଳୀରେ ଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ତଥ୍ୟ ନେଇଥିଲେ। ଖଲ୍ଲିକୋଟ ବ୍ଲକ୍ର ସମସ୍ତ ଆଶ୍ରୟସ୍ଥଳୀରେ ପ୍ରସ୍ତୁତି ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ସମଲ ଓ ବଳରାମପୁର ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବଳରାମପୁର ଅଞ୍ଚଳର ଖରଖରି ନାଳ ମରାମତି ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କହିଥିଲେ।
ବ୍ରହ୍ମପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା, ଗଜପତିନଗର ଓ ନୀଳାଞ୍ଚଳନଗରରେ ନାଳ ମରାମତି କାର୍ଯ୍ୟର ଅଗ୍ରଗତି, ଧନେଇ ଓ ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ସ୍ଥିତି ଏବଂ ଗୋକନପୁର, ପୁରୁଷୋତ୍ତମପୁର ଓ ବଳରାମପଲ୍ଲୀ ଅଞ୍ଚଳର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ସୋରଡ଼ା, ଭଞ୍ଜନଗର ଓ ବାଘୁଆ ଧନେଇ ଅଞ୍ଚଳର ଜଳସ୍ତର ସମ୍ପର୍କରେ ତଥ୍ୟ ନେବା ସହ ସମସ୍ତ ନଦୀ, ନାଳ ଓ ଜଳାଶୟର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ କହିଥିଲେ।
ରାସ୍ତାର ବିପଦପ୍ରବଣ ସ୍ଥାନଗୁଡ଼ିକରେ ବ୍ୟାରିକେଡ୍ ଲଗାଇବା, ନାଳ ଓ ଜଳ ନିଷ୍କାସନ ପଥ ସଫା ରଖିବା ଏବଂ ଆବଶ୍ୟକ ଉଦ୍ଧାର ସମ୍ବଳ ପ୍ରସ୍ତୁତ ରଖିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପରିଶ୍ରମକୁ ପ୍ରଶଂସା କରି ଆହୁରି ନିଷ୍ଠା ଓ ତତ୍ପରତାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବିଡିଓ, ତହସିଲଦାର ଓ ଅଧୀକ୍ଷଣ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment