*ନଭେମ୍ବର ୧୫ରେ ଜନଜାତିୟ ଗୌରବ ଦିବସ ପାଳନ ପାଇଁ ମାଲକାନଗିରି ଆସିବେ ମୁଖ୍ୟମନ୍ତ୍ରୀ*
ମାଲକାନଗିରି ତା, ୧୩/୧୧ (ସତ୍ୟ ନାରାୟଣ ଦାଶ) ଧରତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜନଜାତିୟ ଗୌରବ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ନଭେମ୍ବର ୧୫ ତାରିଖରେ ଜନଜାତିୟ ଗୌରବ ଦିବସ ପାଳନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଗସ୍ତରେ ଆସିବେ ବୋଲି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି।
ଏନେଇ ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଭଗବାନ ବୀର୍ସା ମୁଣ୍ଡାଙ୍କ ତ୍ୟାଗ, ବଳିଦାନ ଓ ଆଦିବାସୀ ସମାଜର ଅଧିକାର ପାଇଁ ତାଙ୍କର ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା।
ଏଥିସହ ଆସନ୍ତା ନଭେମ୍ବର ୨୨ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ ସମ୍ପର୍କରେ ଉଲ୍ଲେଖ କରାଯିବା ସହ ଶହୀଦ ସୁନାମ ତାମ୍ମା ଦୋରାଙ୍କ ଅମର ବଳିଦାନକୁ ସ୍ମରଣ କରାଯାଇଥିଲା।
ସେହିପରି କେନ୍ଦ୍ର ସରକାରଙ୍କ PM-JANMAN ଯୋଜନା, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମେତ ବିଭିନ୍ନ ଜନଜାତି କଲ୍ୟାଣକାରୀ ଯୋଜନାର ସଫଳତା ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ସମ୍ମିଳନୀରେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି, ଦେବା ମାଡ଼କାମି, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାଲକାନଗିରି ବିଧାୟକ, ନରସିଂହ ମାଡ଼କାମି, ରାଜ୍ୟ ST ମୋର୍ଚ୍ଚା ସାଧାରଣ ସମ୍ପାଦକ, ଜଳନ୍ଧର ନାୟକ ଏବଂ ଜିଲ୍ଲା ST ମୋର୍ଚ୍ଚା ଉପସଭାପତି, ସୋମନାଥ ମାଢ଼ୀ ଉପସ୍ଥିତ ଥିଲେ।
ଜନଜାତି ସମାଜର ଗୌରବମୟ ଇତିହାସ, ସଂସ୍କୃତି, ପରମ୍ପରା ଓ ଅଧିକାରର ସୁରକ୍ଷା ସହ ସମାଜର ସର୍ବାଙ୍ଗୀଣ ବିକାଶ ଦିଗରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।
ମାଲକାନଗିରି, ଜିଲ୍ଲା ପ୍ରତିନିଧି


Post a Comment