ଚାଉଁରପୁର ମହାନଦୀ ସେତୁର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ଲଗାଇବା ପାଇଁ ଜିଲ୍ଲାପାଳଙ୍କୁ 'ସ୍ୱାଭିମାନ'ର ଦାବିପତ୍ର
ସମ୍ବଲପୁର:
ସମ୍ବଲପୁର ମହାନଗର ଅନ୍ତର୍ଗତ ଚାଉଁରପୁର ମହାନଦୀ ସେତୁରୁ ବାରମ୍ବାର ଘଟୁଥିବା ଆତ୍ମହତ୍ୟାଜନିତ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରି 'ସ୍ୱାଭିମାନ' ସମ୍ବଲପୁର ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସିଦ୍ଧେଶ୍ୱର ବାଲିରାମ ବୋନ୍ଦରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସେତୁ ଉଦ୍ଘାଟନ ପରଠାରୁ ଅନେକ ଯୁବକ, ଯୁବତୀ ଓ ଅନ୍ୟାନ୍ୟ ବ୍ୟକ୍ତି ସେତୁରୁ ମହାନଦୀକୁ ଡେଇଁ ଜୀବନ ହରାଇଛନ୍ତି। ମାନବ ଜୀବନ ଅମୂଲ୍ୟ ହୋଇଥିବାରୁ ଏଭଳି ଦୁଃଖଦ ଘଟଣାକୁ ରୋକିବା ପାଇଁ ସେତୁର ଉଭୟ ପାର୍ଶ୍ୱରେ ଉଚ୍ଚ ସୁରକ୍ଷା ବାଡ଼ କିମ୍ବା ଷ୍ଟିଲ୍ ବ୍ୟାରିଅର୍ ନିର୍ମାଣ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ସେତୁ ଉପରେ ସିସିଟିଭି କ୍ୟାମେରା, ସତର୍କ ସୂଚନା ଫଳକ, ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ପ୍ରଦର୍ଶନ ଏବଂ ନିୟମିତ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ପଦକ୍ଷେପ ଗ୍ରହଣ କରାଗଲେ ଭବିଷ୍ୟତରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇପାରିବ ବୋଲି ସଂଗଠନ ପକ୍ଷରୁ ମତ ପ୍ରକାଶ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ 'ସ୍ୱାଭିମାନ'ର ଶିଶିର ବହିଦାର (ସମ୍ପାଦକ), ସଦସ୍ୟ କୁନ୍ଦନ ପ୍ରଧାନ, ତ୍ରିନାଥ ରାଉତ, ସମୀର ହୋତା, ସଞ୍ଜୀବ କଂସାରୀ,ଦେବନ୍ତ ବେହେରା, ଦେବାନନ୍ଦ ନାୟକ,ଚିନ୍ମୟ ରଞ୍ଜନ ଦାସ,ରିୟା ବେହେରା, ରାଜାରାମ ପାଢ଼ୀ, ମୁକେଶ ଜେରିୱାଲ, ସୁରଜିତ ପଣ୍ଡା, ସୌରଭ ପୃଷ୍ଟି ଏବଂ ହରି ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment